କେବିସି ଏବଂ ଅମିତାଭ୍ ବଚନଙ୍କ ବିରୋଧରେ ମାମଲା

ନୂଆଦିଲ୍ଲୀ,ଏଜେନ୍ସି: ଇଣ୍ଡିଆନ୍ ଟେଲିଭିଜନ୍‌ର ଚର୍ଚ୍ଚିତ ଶୋ’ କୋନ ବନେଗା କରୋଡପତି(କେବିସି)ରେ ପଚରା ଯାଇଥିବା ପ୍ରଶ୍ନକୁ ନେଇ ବିବାଦ ଦେଖାଦେଇଛି । ଶୋ’ର ପରିଚାଳକ ଅମିତାଭ୍ ବଚନଙ୍କ ଦ୍ୱାରା ପଚରାଯାଇଥିବା ପ୍ରଶ୍ନକୁ ସମ୍ପର୍କରେ ସୋସିଆଲ୍ ମିଡ଼ିଆରେ ମଧ୍ୟ ଚର୍ଚ୍ଚା ହେଉଛି । ପରିଣାମସ୍ୱରୂପ ଶୋ’ ଏବଂ ଅମିତାଭ୍ ବଚନଙ୍କ ନାମରେ ଲକ୍ଷ୍ନୌରେ ମାମଲା ରୁଜୁ କରାଯାଇଛି । କାର୍ଯ୍ୟକ୍ରମରେ ‘ମନୁ ସ୍ମୁତି’ ସମ୍ପର୍କରେ ଏକ ପ୍ରଶ୍ନ ପଚରାଯାଇଥିଲା ।

ପ୍ରଶ୍ନଟି ଥିଲା ‘୧୯୨୭ ଡିସେମ୍ବର ୨୫ରେ ଡ. ବି.ଆର୍ ଆମ୍ବେଦକର ଏବଂ ତାଙ୍କ ଅନୁଗାମୀମାନେ କେଉଁ ଧର୍ମଗ୍ରନ୍ଥ ଜଳାଇଥିଲେ’ । ଏଥିରେ ବିଷ୍ଣୁ ପୂରାଣ, ଭଗବତ ଗୀତା, ଋକ୍‌ବେଦ ଏବଂ ମନୁସ୍ମୃତି ଭାବେ ଚାରୋଟି ବିକଳ୍ପ ମଧ୍ୟ ଦିଆଯାଇଥିଲା । ଜାତିଗତ ଭେଦଭାବ ଏବଂ ଛୁଆଁଅଛୁଆଁ ଭେଦଭାବକୁ ଠିକ୍ ବୋଲି ବିବେଚନା କରାଯାଉଥିବା ସମ୍ପର୍କରେ ନିନ୍ଦା କରି ଆମ୍ବେଦକର ଧର୍ମଗ୍ରନ୍ଥ ‘ମନୁସ୍ମୃତି’କୁ ଜଳାଇଥିବା ଶୋ’ରେ ଅମିତାଭ କହିଥିଲେ । ତେବେ ଏହାକୁ କିଛି ଲୋକ ବିରୋଧ କରିବା ସହ ଶୋ’ରେ ବାମପନ୍ଥୀ ବିଚାରଧାରାର ପ୍ରଚାର କରାଯାଉଥିବା ଆରୋପ ଲଗାଇଛନ୍ତି । ଏହି ଘଟଣାକୁ ବିରୋଧ କରି ଟ୍ୱିଟରରେ ‘ବୟକଟ୍ କେବିସି-୧୨’ ଟ୍ରେଣ୍ଡ୍ ଆରମ୍ଭ କରାଯାଇଛି ।