ଝାରସୁଗୁଡା,ଏନ୍ଏନ୍ଏସ୍: ଲକ ଡାଉନ ସମୟରେ ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀକୁ ନିର୍ଦ୍ଦାରିତ ମୂଲ୍ୟରେ ଯୋଗାଇବା ପାଇଁ ସରକାର ତଥା ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଉଥିବା ବେଳେ ଝାରସୁଗୁଡ଼ା ଜିଲ୍ଲାରେ କେତେକ ଅସାଧୁ ବ୍ୟବସାୟୀ କଳା ବଜାରି କରିବା ପାଇଁ ପଛଘୁଞ୍ଚା ଦେଉନାହାନ୍ତି। ଏହି କଳାବଜାରୀ ରୋକିବା ପାଇଁ ପ୍ରଶାସନ ଓ ପୁଲିସ ପକ୍ଷରୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଉଛି।
ଆଜି ବେଲପାହାଡ଼ ପୌରାଞ୍ଚଳରେ ୩ ଜଣ ବ୍ୟକ୍ତି ବେଆଇନ ଭାବରେ ଗ୍ୟାସ ସିଲିଣ୍ଡର ରଖିଥିବାବେଳେ ମାଜିଷ୍ଟ୍ରେଟ ଦାୟିତ୍ୱରେ ଥିବା ପୌର ନିର୍ବାହୀ ଅଧିକାରୀ ଲୋକନାଥ ତିୱାରୀ, ବ୍ରଜରାଜନଗର ଏସଡିପିଓ ଦିଲ୍ଲୀପ ଦାସ, ବେଲପାହାଡ଼ ଥାନା ଅଧିକାରୀ ରଶ୍ମିତା ବେହେରା ଓ ପୁଲିସ ଦଳ ଚଢ଼ଉ କରିଥିଲା। ଏହି ଚଢ଼ଉରେ ପୁଲିସ ୬୧ଟି ସିଲିଣ୍ଡର ଜବତ କରିବା ସହ ୩ ଜଣଙ୍କୁ ଅଟକ ରଖିଛି।
ଅଭିଯୁକ୍ତମାନେ ରାଜେଶ ମୋଡ଼କା, ମଧୁର ଅଗ୍ରୱାଲ, ନିର୍ଭୟ କୁମାର ଗୁପ୍ତା ବୋଲି ଜଣାପଡିଛି। ନିର୍ଭୟ ଗୁପ୍ତା ଠାରୁ ୧୭ଟି ଭାରତ ଗ୍ୟାସ ଓ ୪ଟି ଏଚପି ଗ୍ୟାସ ଟାଙ୍କି ଜବତ କରାଯାଇଥିବାବେଳେ ମଧୁର ଅଗ୍ରୱାଲଙ୍କ ଠାରୁ ୧୯ଟି ଓ ରାଜେଶ ଠାରୁ ୧୬ଟି ବଡ଼ ଗ୍ୟାସ ଟାଙ୍କି ଓ ୫ଟି ଛୋଟ ଗ୍ୟାସ ଟାଙ୍କି ପୁଲିସ ଜବତ କରିବା ସହ ଅଭିଯୁକ୍ତମାନଙ୍କୁ ଥାନାକୁ ନେଇ ପଚରାଉଚୁରା କରୁଛି। ଏ ନେଇ ଥାନା ଅଧିକାରୀ ରଶ୍ମିତା ବେହେରାଙ୍କୁ ପଚାରିବାରୁ ଏବେ ତଦନ୍ତ ଚାଲିଛି। ତଦନ୍ତ ଶେଷ ହେବା ପରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠଆନ ଗ୍ରହଣ କରାଯିବ ବୋଲି କହିଛନ୍ତି।