୫ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୨ ଗିରଫ

ଜୟପୁର,ଏନ୍ଏନ୍ଏସ୍ : ଜୟପୁର ସଦର ଥାନା ପୁଲିସ ଏକ କାରରୁ ୫ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କରି ୨ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ସମ୍ବଲପୁର ଜିଲ୍ଲା ଅଇଁଠାପଲ୍ଲୀ ଥାନା ବୁଢ଼ାରାଜା ଜଗନ୍ନାଥ କଲୋନୀର ହରେଶ ରଞ୍ଜନ ହୋତା(୫୦) ଓ ଆନ୍ଧ୍ରପ୍ରଦେଶ ବିଶାଖାପାଟଣା ଜିଲ୍ଲା ମୁଚିମପୁଟ ଥାନା ଲଛିମପୁର ଗ୍ରାମର ଦାନୁ ଖୀଲ(୨୫)। ଲମତାପୁଟ ଆଡ଼ୁ ଜୟପୁରକୁ ନମ୍ବର ପ୍ଲେଟ୍ ଥିବା କାରରେ ଚୋରା ଗଞ୍ଜେଇ ଚାଲାଣ ହେଉଥିବା ସୂଚନା ଜୟପୁର ସଦର ଥାନା ପୁଲିସକୁ ମିଳିଥିଲା। ମିଳିଥିବା ରିପୋର୍ଟ ମୁତାବିକ, ଜୟପୁର ସଦର ଥାନା ଭାରପ୍ରାପ୍ତ ଅଧିକାରୀ ଏ.ମହାକୁଡ଼, ସବଇନ୍ସପେକ୍ଟର ପି.କେ.ମହାନ୍ତି ଓ ଅନ୍ୟମାନେ ପାତ୍ରପୁଟ ଛକରେ ଗାଡ଼ିକୁ ଧରିଥିଲେ। କାର ଯାଞ୍ଚ କରିବା ପରେ ସେଥିରୁ ୫୦ କିଲୋଗ୍ରାମ୍ ଗଞ୍ଜେଇ ମିଳିଥିଲା। ଜବତ ଗଞ୍ଜେଇ ସମ୍ବଲପୁର ଚାଲାଣ ହେଉଥିବା ଜଣାପଡ଼ିଛି। ପୁଲିସ ଗଞ୍ଜେଇ ସହ କାର ଓ ୩ଟି ମୋବାଇଲ୍ ଫୋନ୍ ଜବତ କରିଥିଲା। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୫ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି।