୧୦ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୨ ଗିରଫ

ଜୟପୁର,ଏନ୍ଏନ୍ଏସ୍: ଜୟପୁର ସଦର ଥାନା ପୁଲିସ କଲାଗୁଡ଼ା ନିକଟରୁ ୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କରିବା ସହ ୨ଜଣଙ୍କୁ ଗିରଫ କରିଛି। କିନ୍ତୁ ଘଟଣାସ୍ଥଳରୁ ଆଉ ୬ରୁ ୭ଜଣ ଖସି ପଳାଇଥିବା ଜଣାପଡ଼ିଛି। ଗିରଫ ଅଭିଯୁକ୍ତମାନେ ହେଲେ ଜୟପୁର ଟାଉନ ଥାନା ବଡ଼ଘାସି ସାହିର ଦିଲ୍ଲୀପ ଖରା(୩୦) ଓ ଖ୍ରିଷ୍ଟିଆନ୍ ପେଟ୍ଟାର ଆସପିନ୍ ନାୟକ(୨୮)। ମିଳିଥିବା ରିପୋର୍ଟ ମୁତାବକ, ଜୟପୁର ସଦର ଥାନା କଲାଗୁଡ଼ା ଅଞ୍ଚଳରୁ ନମ୍ବର ନଥିବା ଏକ ଏକ୍ସୟୁଭି କାରରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ଖବର ବିଶ୍ୱସ୍ତ ସୂତ୍ରରୁ ସଦର ଥାନା ଭାରପ୍ରାପ୍ତ ଅଧିକାରୀ ଏ.ମହାଙ୍କୁଡ଼ଙ୍କୁ ମିଳିଥିଲା। ଓଆଇସି ମହାଙ୍କୁଡ଼ଙ୍କ ନିର୍ଦ୍ଦେଶରେ ସବଇନ୍ସପେକ୍ଟର ପି.କେ. ମହାନ୍ତି ଓ ପୁଲିସ କର୍ମଚାରୀ କଲାଗୁଡ଼ା ପହଂଚି ଉକ୍ତ କାରକୁ ଠାବ କରି ଯାଞ୍ଚ କରିବା ବେଳକୁ ଗାଡ଼ିରୁ ୧୦୨ କିଲୋଗ୍ରାମ୍ ଗଞ୍ଜେଇ ମିଳିଥିଲା। ଏଥିସହ ପୁଲିସ କାର ସହ ଏକ ନମ୍ବର ନଥିବା ନୂଆ ପଲସର୍ ବାଇକ ଜବତ କରିଛି। ଗିରଫ ଅଭିଯୁକ୍ତଙ୍କ ନିକଟରୁ ପୁଲିସ ୨୦ ହଜାର ୧୦୦ଟଙ୍କା ଓ ଗୋଟିଏ ମୋବାଇଲ ଫୋନ୍ ମଧ୍ୟ ଜବତ କରିଛି। ଜବତ ଗଞ୍ଜେଇର ବଜାର ଦର ୧୦ ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି।