ବାଲିଗୁଡ଼ା,ଏନ୍ଏନ୍ଏସ୍: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ଥାନା ପୁଲିସ ପିକଅପ ଭ୍ୟାନ ଓ ଗଞ୍ଜେଇ ଜବତ କରିବା ସହ ୨ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ ହେଲେ କଟକ ଜିଲ୍ଲା ନଖରା ଥାନାର ଅଧାଳିଆ ଗ୍ରାମର ହରେକୃଷ୍ଣ ବେହେରା ଓରଫ ବାବୁ ବେହେରା ଓ ସଞ୍ଜୟ କୁମାର ସେଠୀ । ମିଳିଥିବା ରିପୋର୍ଟ ମୁତାବକ, ମାରୁତି ପଲ୍ଲୀ ଛକରେ କ.ନୂଆଗାଁ ଥାନାଧିକାରୀ ସଦଳବଳ ପେଟ୍ରୋଲିଂ କରୁଥିବା ସମୟରେ ଏକ ପିକଅପ ଭ୍ୟାନ କୁଡୁତୁଲି ଆଡୁ ଆସୁଥିଲା । ସେହି ଗାଡ଼ିକୁ ପୁଲିସ ଅଟକାଇବାରୁ ଗାଡ଼ି ନ ରହି ପଳାଇ ଯାଉଥିବାବେଳେ ଷ୍ଟାଫମାନେ ଗାଡିକୁ ଧରିବାରେ ସକ୍ଷମ ହୋଇଥିଲେ । ଯାଞ୍ଚ କରିବାରୁ ସେହି ଗାଡ଼ିରୁ ୪୧୫ କିଲୋ ୬୦୦ ଗ୍ରାମ ଗଞ୍ଜେଇ ମିଳିଥିଲା । ସେମାନେ ଏହି ଗଞ୍ଜେଇ ଭୁବନେଶ୍ୱର ନେଇ ଯାଉଥିଲେ । ଏନେଇ କ.ନୂଆଗାଁ ଥାନାରେ ଏକ ମାମଲା ରୁଜୁ କରି ଗଞ୍ଜେଇ ସହିତ ପିକଅପ ଭ୍ୟାନ ଗାଡ଼ିକୁ ଜବତ କରିଥିଲା । ଅଭିଯୁକ୍ତଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଥିବା ନେଇ ଥାନାଧିକାରୀ କୁମର ମୁଦୁଲି ପ୍ରକାଶ କରିଛନ୍ତି ।