ଗାଡି ସହ ଗଞ୍ଜେଇ ଜବତ

ଖଜୁରିପଡା/ଫୁଲବାଣୀ,ଏନ୍ଏନ୍ଏସ୍: ଅବକାରୀ ବିଭାଗ ପକ୍ଷରୁ ଆଜି ଚଢ଼ଉ କରାଯାଇ ୧୩୨ କିଲୋ ଗଞ୍ଜେଇ ଜବତ କରାଯାଇଛି। ଗଞ୍ଜେଇ ଚାଲାଣ ପାଇଁ ବ୍ୟବହାର କରାଯାଉଥିବା ପିକ୍‌ଅପ୍‌ ଭ୍ୟାନକୁ ଅବକାରୀ ବିଭାଗ ଅଧିକାରୀ ଜବତ କରିଥିଲେ ବି ଚାଲାଣକାରୀ ମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡିଛି। ସୂଚନା ଅନୁଯାୟୀ, ଫୁଲବାଣୀରୁ ଭୁବନେଶ୍ୱର ଆଡକୁ ଗଞ୍ଜେଇ ଚାଲାଣ ହେଉଥିବା ନେଇ କୌଣସି ସୂତ୍ରରୁ ଖବରପାଇ ଅବକାରୀ ଇନ୍ସପେକ୍ଟର ନାରାୟଣ ଜେନାଙ୍କ ନେତୃତ୍ବରେ ଏକ ୮ ଜଣିଆ ଦଳ ଖଜୁରୀପଡା ଥାନା ଅନ୍ତର୍ଗତ ଗାଡିଆପଡା ଘାଟିରେ ଛକି ରହିଥିଲେ।

ଏହି ରାସ୍ତା ଦେଇ ଯାଉଥିବା ଏକ ପିକ୍‌ଅପ୍‌ ଭ୍ୟାନ୍‌(ନଂ-ଓଡି-୦୫ଏୟୁ-୩୯୬୭)ରେ ଥିବା ଗଞ୍ଜେଇ ଚାଲାଣକାରୀମାନେ ଅବକାରୀ କର୍ମଚାରୀଙ୍କୁ ଦେଖିପାରି ଦୂରରେ ଗାଡି ରଖି ଜଙ୍ଗଲ ଭିତରକୁ ଧାଇଁ ଚାଲି ଯାଇଥିଲେ। ଯାଞ୍ଚ କରିବାରେ ଗାଡିରୁ ୧୩୨ କିଲୋ ଗଞ୍ଜେଇ ମିଳିଥିଲା। ଗାଡି ସହ ଗଞ୍ଜେଇକୁ ଜବତ କରିଛି ଅବକାରୀ ବିଭାଗ।