ଖଜୁରୀପଡ଼ା,ଏନ୍ଏନ୍ଏସ୍: ଖଜୁରୀପଡ଼ା ପୁଲିସ ଫୁଲବାଣୀରୁ ଭୁବନେଶ୍ୱର ଯାଉଥିବା ମଧୁସ୍ମିତା ନାମକ ଏକ ଯାତ୍ରୀବାହୀ ବସରୁ ଗଞ୍ଜେଇ ଜବତ କରି ୪ଜଣ ମହିଳାଙ୍କୁ ଗିରଫ କରିବାରେ ସଫଳ ହୋଇଛି । ଅଭିଯୁକ୍ତମାନେ ହେଲେ ଗୋଛାପଡ଼ା ଥାନା ମାସିଲିପଙ୍ଗା ଗ୍ରାମର ଚାନ୍ଦିନୀ ଦିଗାଲ, ରୁନିମା ଦିଗାଲ, ଚନ୍ଦ୍ରମା ଦିଗାଲ ଓ ବାଲନ୍ଦାପଡ଼ା ଦଳିତ ସାହିର ସୁନନ୍ଦା ସାହାଣୀ । ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ମଧ୍ୟ ଚାଲାଣ କରାଯାଇଛି ।
ମିଳିଥିବା ରିପୋର୍ଟ ମୁତାବକ, ଉକ୍ତ ବସକୁ ଥାନା ଏବଂ ଏସବିଆଇ ଛକ ମଧ୍ୟରେ ଅଟକାଇ ଯାଞ୍ଚ କରିବା ସହ କିଛି ମହିଳା ସମେତ ଅନ୍ୟ କିଛି ବ୍ୟକ୍ତିଙ୍କୁ ସନ୍ଦେହ କରି ଥାନାରେ ଅଟକ ରଖି ଖଜୁରୀପଡ଼ା ପୁଲିସ ତଦନ୍ତ କରିଥିଲା । ସେମାନଙ୍କ ପାଖରୁ ସମୁଦାୟ ୩୫ କେଜି ଗଞ୍ଜେଇ ଜବତ ହୋଇଥିବାବେଳେ ବସ ଥାନାରେ ରହିଛି । ଆଜି ଜବତ ଗଞ୍ଜେଇ ସହ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ନେଇ ଥାନା ଅଧିକାରୀ ଗେଲ୍ଲୀ କୁମାରୀ ସାହୁ ସୂଚନା ଦେଇଛନ୍ତି । କୌଣସି ବିଶେଷ ସୂତ୍ରରୁ ସୂଚନା ପାଇବା ପରେ ସବଇନସ୍ପେକ୍ଟର ଉଦ୍ଧବ ଯାନୀ, ଶିଶିର କୁମାର ପ୍ରଧାନ, ଦୀନବନ୍ଧୁ ପ୍ରଧାନ, ପିକେ ନେମାଳପୁରୀ, ଜଗନ୍ନାଥ ଜେନା, ବାସୁଦେବ ପଣ୍ଡା, ବିପ୍ର ଚରଣ ମଲିକ ଓ ପ୍ରକାଶ କୁମାର ବିଶୋୟୀ ପେଟ୍ରୋଲିଂ କରିଥିଲେ ।