ଜୁନ୍ ୩୦ ପର୍ଯ୍ୟନ୍ତ ଗଞ୍ଜାମ ଲକଡାଉନ

ବ୍ରହ୍ମପୁର,ଏନ୍ଏନ୍ଏସ୍: ଆଜିଠାରୁ ଜୁନ୍ ୩୦ ପର୍ଯ୍ୟନ୍ତ ଗଞ୍ଜାମ ଜିଲ୍ଲା ଲକଡାଉନ ରହିବ। ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଏକ ସାମ୍ବାଦିକ ସମ୍ମିଳନୀ କରି ଏସମ୍ପର୍କରେ ସୂଚନା ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ, ଗଞ୍ଜାମ ଜିଲ୍ଲାରେ ବଢ଼ୁଥିବା କରୋନା ମାମଲାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଛି। ଏହି ନିଷ୍ପତ୍ତି ଅନୁଯାୟୀ, ସକାଳ ୭ରୁ ଦିନ ୧୨ଟା ପର୍ଯ୍ୟନ୍ତ ସମସ୍ତ ଅତ୍ୟାବଶ୍ୟକ ଦୋକାନ ଖୋଲା ରହିବ। ହେଲେ ବସ୍, କାର ଓ ଅଟୋ ଚଳାଚଳ ଜୁନ୍ ୩୦ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ରୂପେ ବନ୍ଦ ରହିବ। ପୂର୍ବ ଘୋଷଣା ଅନୁସାରେ ଶନି ଓ ରବିବାର ସଟଡାଉନ ରହିବ। ରାତି ୭ରୁ ସକାଳ ୭ ପର୍ଯ୍ୟନ୍ତ କର୍ଫ୍ୟୁ ମଧ୍ୟ ବଳବତ୍ତର ରହିବ। ଏଥିସହିତ ଦିନ ୧୨ଟା ପରେ ଘରୁ ନ ବାହାରିବାକୁ ଜିଲ୍ଲାପାଳ ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି।

ସୂଚନାଯୋଗ୍ୟ, ଗଞ୍ଜାମରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୦୦ ଟପିଥିବା ବେଳେ ଆଜି ସକାଳେ ଜଣଙ୍କର ମୃତ୍ୟୁ ଘଟିଛି। ଏଥିସହିତ ଗଞ୍ଜାମରେ ମୃତ୍ୟୁସଂଖ୍ୟା ସର୍ବାଧିକ ୬ ରହିଛି।