ବିପୁଳ ଗଞ୍ଜେଇ ଜବତ: ୫ ଗିରଫ

ମାଲକାନଗିରି,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ଟନେଲ କ୍ୟାମ୍ପ ନିକଟରେ ଜିଳ୍ଲା ଅବକାରୀ ବିଭାଗ ଦ୍ୱାରା ଚଢ଼ାଉ କରାଯାଇ ଚୋରା ଚାଲାଣ ହେଉଥିବା ଗଞ୍ଜେଇ ସହ ଗୋଟିଏ ଟାଟା ସୁମୋ ଗାଡ଼ି ଜବତ କରାଯିବା ସହ ଏଥିରେ ସଂମ୍ପୃକ୍ତ ୫ ଜଣକୁ ଗିରଫ କରିଛି। ଏକ ସୁମୋ ନମ୍ବର (ଜେଏଚ୍-୧୦ ଡବ୍ଲ୍ୟୁ୫୩୭୫) ଯୋଗେ ଆରଏସସି-୫ ଗ୍ରାମରୁ ବିହାରକୁ ଗଞ୍ଜେଇ ଚୋରାଚାଲାଣ ହେଉଥିବା ଖବର ପାଇ ଜିଲ୍ଲା ଅବକାରୀ ଅଧୀକ୍ଷକ ଅଶୋକ କୁମାର ସେଠଙ୍କ ନେତୃତ୍ୱରେ ଅବକାରୀ କର୍ମଚାରୀ ଓ ନବରଙ୍ଗପୁର ଜିଲ୍ଲା ଅବକାରୀ କର୍ମଚାରୀଙ୍କ ସହଯୋଗରେ ଗାଡ଼ିକୁ ଅଟକାଇ ଥିଲେ।

ଗାଡ଼ିକୁ ଯାଞ୍ଚ୍ କରିବା ଫଳରେ ସେଥିରେ ଗଞ୍ଜେଇ ଥିବା ଜଣାପଡ଼ିଥିଲା। ପରେ ଓଜନ କରିବାରୁ ଏଥିରେ ମୋଟ ୧୧୨ କିଲେଗ୍ରାମ ଗଞ୍ଜେଇ ଥିବା ଜଣାପଡ଼ିଛି। ଏହାପରେ ଗାଡ଼ି ଓ ଗଞ୍ଜେଇକୁ ଜବତ କରିବା ସହ ୫ ଜଣଙ୍କୁ ଗିରଫ କରାଯାଇଛି। ଗିରଫଙ୍କ ମଧ୍ୟରେ ୨ ଜଣ ମହିଳା ଅଛନ୍ତି। ଗିରଫମାନେ ବିହାର ଓ ଝାରଖଣ୍ଡ ରାଜ୍ୟର ବୋଲି ଜଣାପଡ଼ିଛି।

ଜବତ ଗଞ୍ଜେଇର ମୂଲ୍ୟ ପ୍ରାୟ ୬ଲକ୍ଷ ଟଙ୍କା ହେବ ଓ କିଏ ଏମାନଙ୍କୁ ଗଞ୍ଜେଇ ବିକ୍ରି କରିଛି ସେ ନେଇ ତଦନ୍ତ ଜାରୀ ରହିଥିବା ଅବକାରୀ ଅଧୀକ୍ଷକ ଶ୍ରୀ ସେଠ ପ୍ରକାଶ କରିଛନ୍ତି। ଏହି ଚଢ଼ଉରେ ଅନ୍ୟମାନଙ୍କ ମଧ୍ୟରେ ଡିଏସପି ମନମୋହନ ଧାଙ୍ଗଡ଼ାମାଝି, ଏସଆଇ ଡି.କେ ନାୟକ, ଏଏସଆଇ ରାଜୁ ଖିତି, ଜ୍ଞାନ ସାହୁ, ସୁରେନ୍ଦ୍ର ମାଝି, ପଣ୍ଡା ନାଗେଶ, ସରିତା ନାୟକ ଓ ନବରଙ୍ଗପୁର ଜିଲ୍ଲାର ଅବକାରୀ କର୍ମଚାରୀ ଅଂଶଗ୍ରହଣ କରିଥିଲେ।