ବିଜେପିର ରାଜ୍ୟସ୍ତରୀୟ କର୍ମଶାଳା: ରାଜ୍ୟରେ ସିଏଏକୁ ନେଇ କରାଯିବ ବ୍ୟାପକ ଜନଜାଗରଣ

ଭୁବନେଶ୍ୱର,ଏନ୍ଏନ୍ଏସ୍: ନାଗରିକତା ସଂଶୋଧନ ଆଇନ(ସିଏଏ) ସମ୍ପର୍କରେ ବ୍ୟାପକ ଜନଜାଗରଣ କରିବା ପାଇଁ ବିଜେପି ପକ୍ଷରୁ ଦେଶବ୍ୟାପୀ ଜନସାଧାରଣଙ୍କୁ ସଚେତନ କରାଯିବାକୁ ନିଷ୍ପତ୍ତି ହୋଇଛି। ଏହି ପରିପ୍ରେକ୍ଷୀରେ ଗୁରବାର ରାଜ୍ୟ ବିଜେପି ପକ୍ଷରୁ ସିଏଏ ଉପରେ ରାଜ୍ୟସ୍ତରୀୟ କର୍ମଶାଳା ଆୟୋଜିତ କରାଯାଇଥିଲା। ଏହି କର୍ମଶାଳାରେ ସିଏଏ ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା।

କର୍ମଶାଳାରେ ଯୋଗଦେଇଥିବା ଅତିଥି କହିଥିଲେ ଯେ ସିଏଏ ଦ୍ୱାରା ଭାରତର ପଡ଼ୋଶୀ ଦେଶ ପାକିସ୍ତାନ, ଆଫଗାନିସ୍ତାନ ଏବଂ ବାଂଲାଦେଶରୁ ଧାର୍ମିକ ରୂପେ ନିର୍ଯାତନାର ଶିକାର ହୋଇ ଭାରତକୁ ଆସିଥିବା ସଂଖ୍ୟାଲଘୁ ବର୍ଗର ଶରଣାର୍ଥୀଙ୍କୁ ନାଗରିକତା ପ୍ରଦାନ କରାଯିବ। କିନ୍ତୁ କିଛି ଅସାଧୁ ବ୍ୟକ୍ତି ବିଶେଷ ଏହି ଆଇନ ବିରୁଦ୍ଧରେ କୁପ୍ରଚାର କରି ଦେଶର ଜନତାଙ୍କୁ ବିଭ୍ରାନ୍ତ କରୁଛନ୍ତି। ତେଣୁ ଆଗାମୀ ଜାନୁଆରୀ ମାସରେ ନାଗରିକତା ସଂଶୋଧନ ଆଇନ ଉପରେ ବ୍ୟାପକ ଜନଜାଗରଣ କରାଯିବ।

ରାଜ୍ୟର ସମସ୍ତ ୩୬ଟି ସାଂଗଠନିକ ଜିଲ୍ଲାରେ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରାଯାଇ ଏହି ଆଇନ ସମ୍ପର୍କରେ ବ୍ୟାପକ ଭାବେ ଜନସାଧାରଣମାନଙ୍କୁ ସଚେତନ କରାଯିବ। ବିଜେପି କାର୍ଯ୍ୟକର୍ତ୍ତାମାନେ ରାଜ୍ୟର ୩୬ଟି ସାଂଗଠନିକ ଜିଲ୍ଲାରେ ବୁଦ୍ଧିଜୀବୀ ସମ୍ମିଳନୀ କରିବେ। ପ୍ରତ୍ୟେକ ଜିଲ୍ଲାରେ ଏହି ଆଇନକୁ ନେଇ ସଚେତନତା ରାଲି କରାଯିବ। ବିଜେପି କାର୍ଯ୍ୟକର୍ତ୍ତାମାନେ ଓଡ଼ିଶାର ପାଖାପାଖି ୧ କୋଟି ପରିବାରକୁ ଯାଇ ଏହି ଆଇନ ସମ୍ପର୍କରେ ବୁଝାଇବେ। ଏଥି ସହ ବିଜେପି କାର୍ଯ୍ୟକର୍ତ୍ତାମାନେ ସମସ୍ତ ପଞ୍ଚାୟତ ଏବଂ ୱାର୍ଡକୁ ଯାଇ ଜନସାଧାରଣଙ୍କୁ ଏହି ଆଇନ ବିଷୟରେ ପ୍ରତ୍ୟେକ୍ଷ ଭାବେ ଅବଗତ କରାଇବେ ବୋଲି କର୍ମଶାଳାରେ ନିଷ୍ପତ୍ତି ହୋଇଛି।

ଆୟୋଜିତ ଏହି କର୍ମଶାଳାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ସଭାପତି ଓ ସାଂସଦ ବସନ୍ତ ପଣ୍ଡା, ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ, ସାଂସଦ ଜୁଏଲ ଓରାମ ପ୍ରମୁଖ ଉଦଘାଟନ କରିଥିଲେ। ରାଜ୍ୟ ଉପସଭାପତି ସମୀର ମହାନ୍ତି, ରାଜ୍ୟ ସାଧାରଣ ସମ୍ପାଦକ ଭୃଗୁ ବକ୍ସିପାତ୍ର ଓ ପୃଥୀରାଜ ହରିଚନ୍ଦନ, ରାଜ୍ୟ ବିଜେପି ମୁଖପାତ୍ର ଶ୍ରୀ ଗୋଲକ ମହାପାତ୍ର, ରାଜ୍ୟ ସମ୍ପାଦକ ଯତୀନ ମହାନ୍ତି, ପୂର୍ବତନ ସାଂସଦ ଖାରବେଳ ସ୍ୱାଇଁ ପ୍ରମୁଖ ଉଦ୍ବୋଧନ ରଖିଥିଲେ।

କର୍ମଶାଳାରେ ସମସ୍ତ ରାଜ୍ୟ ପଦାଧିକାରୀ, ବିଧାୟକ, ବିଧାୟିକା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଏବଂ ଜିଲ୍ଲା ସଭାପତି ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ ସମସ୍ତ ନବନିର୍ବାଚିତ ଜିଲ୍ଲା ସଭାପତିମାନଙ୍କୁ ରାଜ୍ୟ ନେତୃମଣ୍ଡଳୀ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା।