ଜବତ ହେଲା ୧.୮୭ କୋଟି ଟଙ୍କାର ଗଞ୍ଜେଇ: କୋରାପୁଟରୁ ଯାଉଛି କୋଲକାତା

ନୟାଗଡ଼,ଏନ୍ଏନ୍ଏସ୍ : ରାଜ୍ୟରେ ଗଞ୍ଜେଇ ଚାଲାଣ ଉପରେ ବ୍ୟାପକ ଧରପଗଡ଼ ହେଉଥିବାରୁ ଚୋରାଚାଲାଣକାରୀମାନେ ଅଭିନବ ଉପାୟ ହାତେଇଛନ୍ତି। ସେମାନେ ବହ୍ଲା ବୋଝେଇ ହୋଇ କୋଲକାତା ଯାଉଥିବା ଟ୍ରକକୁ ମାଧ୍ୟମ କରିଛନ୍ତି। କେନ୍ଦ୍ରୀୟ ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ ଏହାର ସୁରାକ ପାଇବା ପରେ ଏକ ବହ୍ଲାବୋଝେଇ ଟ୍ରକରୁ ୨କୋଟି ଟଙ୍କାର ଏହି ନିଶାଦ୍ରବ୍ୟ ଜବତ କରିଛନ୍ତି। ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା ଅନ୍ତର୍ଗତ ଖୋର୍ଦ୍ଧା-ବଲାଙ୍ଗିର ଜାତୀୟ ରାଜପଥ ପାଶ୍ୱର୍ ରଙ୍ଗମାଟିଆ ଗ୍ରାମର ଏକ ଢାବା ନିକଟରୁ କେନ୍ଦ୍ରୀୟ ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ କର୍ମଚାରୀମାନେ ଗୋଟିଏ ବହ୍ଲା ବୋଝେଇ ଟ୍ରକରୁ ୨କୋଟି ଟଙ୍କାର ୧୨୨୭ କିଗ୍ରା ଗଞ୍ଜେଇ ଜବତ କରିଛନ୍ତି। ଏହି ଘଟଣାରେ ଟ୍ରକ ଡ୍ରାଇଭରକୁ ଗିରଫ କରାଯାଇଛି।

ଏହି ବହ୍ଲା ବୋଝେଇ ଟ୍ରକକୁ ଖାନତଲାସ କରାଯିବା ପରେ ସେଥିରୁ ମିଳିଛି ୩୯ ବସ୍ତା ଗଞ୍ଜେଇ। ଓଆର ୧୧ ଇ ୮୧୯୯ ନମ୍ବର ବିଶିଷ୍ଟ ଏକ ଦଶ ଚକିଆ ଟ୍ରକରେ ଗଞ୍ଜେଇ ଚାଲାଣ ହେଉଥିବା ନେଇ କେନ୍ଦ୍ରୀୟ ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟର କର୍ମଚାରୀମାନେ କୈାଣସି ସୂତ୍ରରୁ ଖବର ପାଇଥିଲେ। ଏହି ଟ୍ରକକୁ ଜବତ କରିବା ପାଇଁ ସେମାନେ ଯୋଜନା ପ୍ରସ୍ତୁତ କରିବା ସହ ଜିଲ୍ଲା ପୁଲିସର ସହାୟତା ନେଇଥିଲେ। ଜିଲ୍ଲା ପୁଲିସର ଏକ ସ୍ୱତନ୍ତ୍ର ଟିମ ସହ ଅଧିକାରୀମାନେ ଗତକାଲି ଦଶପଲ୍ଲା ନିକଟରେ ଛକି ରହିଥିବା ବେଳେ ଫୁଲବାଣୀ ପଟୁ ଆସୁଥିବା ଟ୍ରକକୁ ରାଜପୁତ ଢାବା ନିକଟରେ ଅଟକାଇଥିଲେ।

ତନଖିରୁ ଟ୍ରକରେ ଗଞ୍ଜେଇ ବୋଝେଇ ହୋଇଥିବା ଜଣାପଡ଼ିବା ପରେ ପୁଲିସ ସୁରକ୍ଷା ସହ ଟ୍ରକକୁ ଆଜି ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ନିକଟରେ ଥିବା ରିଜର୍ଭ ପୁଲିସ କାର୍ଯ୍ୟାଳୟକୁ ଅଣାଯାଇଥିଲା। ଏହି ଟ୍ରକରୁ ସମସ୍ତ ବହ୍ଲା ଖାଲିି କରି ତନଖି କରିବା ପରେ ସେଥିରୁ ୩୯ ବସ୍ତା ଗଞ୍ଜେଇ ବାହାରିଥିଲା। ଗଞ୍ଜେଇର ଓଜନ ୧୨୨୭ କିଗ୍ରା ବୋଲି ସୂଚନା ମିଳିଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ୧କୋଟି ୮୭ ଲକ୍ଷ ଟଙ୍କାରୁ ଊଦ୍ଧ୍ୱର୍ ହେବ ବୋଲି ଆକଳନ କରାଯାଇଛି। ଏହି ଘଟଣାରେ ଖୋର୍ଦ୍ଧା ଜିଲ୍ଲା ଓଳସିଂ ଗାଁର ଟ୍ରକ ଚାଳକ ସମୀର ପ୍ରଧାନଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯିବା ସହ ଟ୍ରକଟିକୁ ଜବତ କରାଯାଇଛି।

ସମୀର କୋରାପୁଟ ସାଗର ଜଳପୁଟ ଗାଁରୁ ବୁଧବାର ଦିନ ଗଞ୍ଜେଇ ବୋଝେଇ କରି ଆଣିଥିବା ପୁଲିସ ନିକଟରେ ସ୍ୱୀକାର କରିଛି। ଏହି ଗଞ୍ଜେଇ ଚାଲାଣ ଅର୍ଜ୍ଜୁନ ଫାଗି ନାମକ ଜଣେ ବ୍ୟକ୍ତିଙ୍କ ତତ୍ତ୍ୱାବଧାନରେ ଚାଲିଥିବା ଅନୁସନ୍ଧାନରୁ ଜଣାପଡ଼ିଛି। କେନ୍ଦ୍ରୀୟ ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ ପକ୍ଷରୁ ଘଟଣାର ଅଧିକ ତଦନ୍ତ ଜାରି ରହିଛିି। ଏହି ଗଞ୍ଜେଇକୁ କୋରାପୁଟରୁ କୋଲକାତା ଚାଲାଣ କରାଯାଉଥିଲା। ଏଠାରେ ପ୍ରକାଶଯୋଗ୍ୟ, କିଛିଦିନ ତଳେ ନୟାଗଡ଼ ଟାଉନ ପୁଲିସ କୋଲକାତା ଚାଲାଣ ହେଉଥିବା ବେଳେ ଏକ କାରରୁ ୭୮ କିଗ୍ରା ଗଞ୍ଜେଇ ଜବତ କରିବା ସହ ତିନିଜଣଙ୍କୁ ଗିରଫ କରିଥିଲା।