୨୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ ୪ ଗିରଫ

କୋରାପୁଟ,ଜୟପୁର,ଏନ୍ଏନ୍ଏସ୍: ଜୟପୁର ସଦର ପୁଲିସ ଏକ ଟ୍ରକରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କରିବା ସହ ୪ଜଣ ଅଭିଯୁକ୍ତଙ୍କୁୁ ଗିରଫ କରିଛି। ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ବିହାର ଭୋଜପୁରର ଟ୍ରକ୍ ଡ୍ରାଇଭର ବିନୋଦ କୁମାର ଯାଦବ(୨୫), ହେଲ୍ପର ରାହୁଲ କୁମାର(୧୮), ଢେପଗୁଡ଼ା ଜୟପୁରର ହୀରା ବାହାଦୁର(୨୪) ଓ ବିନାଶ ପଲେଇ। କିନ୍ତୁ ଚୋରା ଗଞ୍ଜେଇ କାରବାରର ମାଷ୍ଟରମାଇଣ୍ଡ କାଳୁ ଶର୍ମା ଓ ଦିଲ୍ଲୀପ ବାହାଦୁରକୁ ଧରିବାକୁ ପୁଲିସ ଉଦ୍ୟମ ଚଲାଇଛି। ପୁଲିସ ଗଂଜେଇ ସହ ଟ୍ରକ୍, ୫ଟି ମୋବାଇଲ୍ ଫୋନ୍, ନଗଦ ୨୩୧୦ ଟଙ୍କା, ୯ଟି ସିନଣ୍ଟେକ୍ସ ପାଣି ଟାଙ୍କି ଜବତ କରିଛି। ଡବଲ୍ୟୁବି ୧୧ବି-୪୮୯୨ ନମ୍ବର ଥିବା ଏକ ଟ୍ରକରେ ଚୋରା ଗଞ୍ଜେଇ ଚାଲାଣ ହେଉଥିବା ଜୟପୁର ସଦର ଥାନା ପୁଲିସକୁ ସୂଚନା ମିଳିଥିଲା। ସୂଚନା ମୁତାବକ ଭାରପ୍ରାପ୍ତ ଥାନାଧିକାରୀ ଏ .ମହାକୁୁଡ଼, ସବଇନସପେକ୍ଟର ପିକେ.ମହାନ୍ତି ଓ ଅନ୍ୟମାନେ ଜୟପୁର ଘାଟି ବନଦୁର୍ଗା ମନ୍ଦିର ନିକଟରେ ଗାଡ଼ିକୁ ଅପେକ୍ଷା କରିଥିଲେ। ଟ୍ରକ ପହଞ୍ଚିବା ମାତ୍ରେ ଅଟକାଇ ଯାଞ୍ଚ କରିବାରୁୁ ସେଥିରୁ ୧୦୦୨ କିଲୋ ୪୦୦ ଗ୍ରାମ  ଚୋରା ଗଞ୍ଜେଇ ମିଳିଥିଲା। ଉକ୍ତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୨୦ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି।