୧୦ କିଲୋ ୩୦୦ ଗ୍ରାମ ଗଞ୍ଜେଇ ଜବତ, ୩ ଗିରଫ

ଫିରିଙ୍ଗିଆ,ଏନ୍‌ଏନ୍‌ଏସ୍‌: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅଞ୍ଚଳରୁ ପୁଲିସ ୧୦ କିଲୋ ୩୦୦ ଗ୍ରାମ ଗଞ୍ଜେଇ ଜବତ କରିବା ସହ ୩ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ନୂଆଗାଁ ବ୍ଲକ ସାରଙ୍ଗଗଡ଼ ଥାନା ଲକେବାଡ଼ି ଗାଁର ସୁନୀଲ ଡିଗାଲ, ସମୁଏଲ ନାୟକ ଓ ଦୀପକ କୁମାର ଡିଗାଲ । ଫିରିଙ୍ଗିଆ ପୁଲିସର ସୂଚନାନୁସାରେ, ଗତକାଲି ପୁଲିସ ପେଟ୍ରୋଲିଙ୍ଗ କରୁଥିବା ସମୟରେ ବନ୍ଧଗଡ଼ଠାରୁ ତାଳଦାଣ୍ଡିକିଆ ରାସ୍ତାର ଜୋକେ ଛକ ନିକଟରେ ଦ୍ରୁତ ଗତିରେ ଆସୁଥିବା ଏକ ଅଲଟୋ କାରକୁ ଅଟକାଇଥିଲା । ଉକ୍ତ କାରକୁ ଯାଞ୍ଚ କଲା ପରେ ପୁଲିସ ଗଞ୍ଜେଇ ଜବତ କରିବା ସହ ଗାଡ଼ିରେ ଥିବା ୩ଜଣଙ୍କୁ ଗିରଫ କରିଥିଲା । ତେବେ ପୁଲିସର ପ୍ରାଥମିକ ତଦନ୍ତରୁ ଗିରଫ ୩ଜଣ ବ୍ୟକ୍ତି ପେସାଦାର ଗଞ୍ଜେଇ ମାଫିଆ ବୋଲି ଜଣାପଡ଼ିଛି । ଏନେଇ ଏକ ମାମଲା ରୁଜୁ କରି ସମ୍ପୃକ୍ତ ମାଫିଆଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଥାନାଧିକାରୀ ତପନ କୁମାର ନାହାକ ସୂଚନା ଦେଇଛନ୍ତି ।