ଗାଙ୍ଗୁଲିଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର, ଅକ୍ସିଜେନ୍ ସ୍ତର ୯୯%

କୋଲ୍‌କାତା,ଏଜେନ୍ସି: ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (ବିସିସି) ସଭାପତି ତଥା ପୂର୍ବତନ ଭାରତୀୟ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି। ଗାଙ୍ଗୁଲି ଚିକିତ୍ସିତ ହେଉଥିବା ହସ୍ପିଟାଲ୍ ପକ୍ଷରୁ ବୁଧବାର ଏହି ସୂଚନା ଦିଆଯାଇଛି। କୋଭିଡ୍‌-୧୯ ଆର୍‌ଟି-ପିସିଆର୍ ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିବା ପରେ ଗାଙ୍ଗୁଲିଙ୍କୁ ସତର୍କତାମୂଳକ ଭାବେ ସୋମବାର ରାତିରେ କୋଲ୍‌କାତାର ଉଡ୍‌ଲ୍ୟାଣ୍ଡ୍‌ସ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ହସ୍ପିଟାଲ୍ ସିଇଓ ଡା. ରୁପାଲି ବାସୁ କହିଛନ୍ତି ‘ହସ୍ପିଟାଲ୍‌ରେ ଭର୍ତ୍ତି ହେବାର ଦୁଇଦିନ ପରେ ଗାଙ୍ଗୁଲିଙ୍କ ହୃଦୟଗତି ସ୍ଥିର ରହିଛି।

ତାଙ୍କର ଜ୍ୱର ନାହିଁ ଏବଂ କୃତ୍ରିମ ସହାୟତା ବିନା ତାଙ୍କ ଅକ୍ସିସେନ୍ ସ୍ତର ୯୯ ପ୍ରତିଶତରେ ରହିଛି।’ ସେ ଆହୁରି କହିଥିଲେ, ‘ଗତକାଲି ରାତିରେ ତାଙ୍କୁ ଭଲ ନିଦ ହୋଇଥିଲା ଏବଂ ଆଜି ଜଳଖିଆ ତଥା ଦିପହର ଭୋଜନ କରିଛନ୍ତି।’ ଗାଙ୍ଗୁଲିଙ୍କୁ ସୋମବାର ରାତିରେ ମୋନୋକଲୋନଲ୍ ଆଣ୍ଟିବଡି ଥେରାପି ଦିଆଯାଇଥିଲା। ବୟାନ ଅନୁସାରେ ମେଡିକାଲ୍ ବୋର୍ଡ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖିଛି।

ଉଲ୍ଲେଖଯୋଗ୍ୟ, ପୂର୍ବରୁ ଚଳିତ ବର୍ଷ ଗାଙ୍ଗୁଲିଙ୍କୁ ମଧ୍ୟ ଦୁଇଥର ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା ଏବଂ ତାଙ୍କର ଆଞ୍ଜିଓପ୍ଲାଷ୍ଟି କରାଯାଇଥିଲା। ଚଳିତ ବର୍ଷ ତାଙ୍କ ବଡ଼ଭାଇ ସ୍ନେହାଶିଷ ଗାଙ୍ଗୁଲି ମଧ୍ୟ କୋଭିଡ୍ ପଜିଟିଭ୍ ହୋଇଥିଲେ।