ଡ. ବିଶ୍ୱନାଥ ପ୍ରସାଦ ପାଇବେ ଗଙ୍ଗାଧର ଜାତୀୟ ସମ୍ମାନ

ସମ୍ବଲପୁର,ଏନ୍ଏନ୍ଏସ୍: ସାହିତ୍ୟ ପାଇଁ ଋଷ ଦେଶର ସମ୍ମାନଜନକ ପୁସ୍କିନ ପୁରସ୍କାର ପାଇଥିବା ସାହିତ୍ୟ ଏକାଡେମୀର ପୂର୍ବତନ ଅଧ୍ୟକ୍ଷ ଓ ପ୍ରଖ୍ୟାତ ହିନ୍ଦୀ ସାହିତ୍ୟିକ ତଥା କବି ପ୍ରଫେସର ଡ. ବିଶ୍ୱନାଥ ପ୍ରସାଦ ତିୱାରୀ ସମ୍ବଲପୁର ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠିତ ମର୍ଯ୍ୟାଦାଜନକ ଗଙ୍ଗାଧର ଜାତୀୟ ସମ୍ମାନ-୨୦୧୯ ପାଇବା ପାଇଁ ମନୋନୀତ ହୋଇଛନ୍ତି। ଭାରତୀୟ ଭାଷାର ଜଣେ କବିଙ୍କୁ ପ୍ରତିବର୍ଷ ଏହି ପୁରସ୍କାର ପ୍ରଦାନ କରାଯାଇଆସୁଛି। ଜ୍ୟୋତିବିହାରଠାରେ ହେବାକୁ ଥିବା ବିଶ୍ୱବିଦ୍ୟାଳୟର ଆଗାମୀ ପ୍ରତିଷ୍ଠା ଦିବସ ସମାରୋହରେ ଡ. ତିୱାରୀଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ। ପୁରସ୍କାର ସ୍ୱରୂପ ତାଙ୍କୁ ପ୍ରଶସ୍ତି ପତ୍ର, ଉପଢୌକନ ଓ ନଗଦ ପଚାଶ ହଜାର ଟଙ୍କା ପ୍ରଦାନ କରାଯିବ। ଡ. ତିୱାରୀ ୧୯୪୦ ଜୁନ ମାସ ୨୦ ତାରିଖ ଦିନ ଉତ୍ତରପ୍ରଦେଶର କୁଶୀନଗର ଜିଲ୍ଲା ଅନ୍ତର୍ଗତ ରାୟପୁରର ଭେଁସହି-ଭୋଡ଼ିହାରୀ ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ। ଡ.ତିୱାରୀ ୨୦୦୧ ମସିହାରେ ଗୋରଖପୁର ବିଶ୍ୱବିଦ୍ୟାଳୟର ହିନ୍ଦୀ ବିଭାଗର ମୁଖ୍ୟ ପଦବୀରେ ଥିବା ବେଳେ ଅବସର ନେଇଥିଲେ।

ସମ୍ବଲପୁର ବିଶ୍ୱବିଦ୍ୟାଳୟ ପକ୍ଷରୁ ୧୯୯୧ରୁ ଭାରତୀୟ ଭାଷାର କବିତା ପାଇଁ ଅଦ୍ୟାବଧି ୨୭ ଜଣ ପ୍ରଖ୍ୟାତ କବି ଏହି ଗଙ୍ଗାଧର ଜାତୀୟ ସମ୍ମାନ-କବିତାପ୍ରାପ୍ତ କରିଛନ୍ତି। ଆଗାମୀ ୨୦୨୦ ଜାନୁଆରୀ ମାସରେ ହେବାକୁ ଥିବା ସମ୍ବଲପୁର ବିଶ୍ୱବିଦ୍ୟାଳୟର ୫୩ତମ ପ୍ରତିଷ୍ଠା ଦିବସ ପାଳନ ଉପଲକ୍ଷେ ଡ. ତିୱାରୀଙ୍କୁ ସମ୍ମାନିତ କରାଯିବ ବୋଲି ସମ୍ବଲପୁର ବିଶ୍ୱବିଦ୍ୟାଳୟର କୁଳସଚିବ ପ୍ରଫେସର ସତ କୁମାର ସାହୁଙ୍କ ସୁତ୍ରରୁ ପ୍ରକାଶ ପାଇଛି। ସମ୍ବଲପୁର ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଦୀପକ କୁମାର ବେହେରା ପ୍ରତିଷ୍ଠା ଉତ୍ସବରେ ତାଙ୍କୁ ଗଙ୍ଗାଧର ସମ୍ମାନରେ ଡ. ତିୱାରୀଙ୍କୁ ସମ୍ମାନିତ କରାଯିବା ପାଇଁ ସ୍ଥିରୀକୃତ କରାଯାଇଥିବା ସୂଚନା ଦେଇଛନ୍ତି ।