ମାଓ ସ୍ଥିତିର ସମୀକ୍ଷା କଲେ ସିଆରପିଏଫ ଆଇ.ଜି ସଂଗ୍ରାମ କେଶରୀ ମହାନ୍ତି

ରାୟଗଡା, ଏନଏନଏସ : ଦିନିକିଆ ରାୟଗଡା ଜିଲ୍ଲା ଗସ୍ତରେ ଆସି ମାଓ ସ୍ଥିତିର ସମୀକ୍ଷା କରିଛନ୍ତି ସିଆରପିଏଫ ଆଇ.ଜି ( ଓଡିଶା ରେଜଂ ) ର ସଂଗ୍ରାମ କେଶରୀ ମହାନ୍ତି । ରାୟଗଡା ସଦର ମହକୁମା ସ୍ଥିତ ସିଆରପିଏଫ ୪ର୍ଥ ବାଟାଲିୟନ ଠାରେ ପହଂଚି ରାୟଗଡା ଜିଲ୍ଲାରେ ମାଓବାଦୀ ମାନଙ୍କ ସ୍ଥିତି ଉପରେ ସମ୍ବଲପୁର ରେଂଜ ଡିଆଇଜି ଏସ.ଡି.ପାଣ୍ଡେ, କମାଣ୍ଡେଂଟ ୱାଇ.କେ.ରାଜପୁତ, ସେକେଣ୍ଡ କମାଣ୍ଡେଂଟ ମିତୁ ରୟ, ଏସ.କେ.ଠାକୁର ସହ ଆଲୋଚନା କରିଥିଲେ । ପରେ ଆଇ.ଜି ସଂଗ୍ରାମ କେଶରୀ ମହାନ୍ତି ଜିଲ୍ଲାରେ ମାଓ ସ୍ଥିତି ନେଇ ସାମ୍ବାଦିକମାନଙ୍କ ସହ ଆଲୋଚନା କରିଥିଲେ ।

ବର୍ତମାନ ଜିଲ୍ଲା ତଥା ରାଜ୍ୟରେ ମାଓବାଦୀଙ୍କ ସଂଖ୍ୟା ଯଥେଷ୍ଟ କମିଥିବା ଶ୍ରୀ ମହାନ୍ତି ପ୍ରକାଶ କରିଥିଲେ । ରାଜ୍ୟ ପୋଲିସ ଏବଂ ସିଆରପିଏଫର ମିଳିତ କୁମ୍ବି ଯୋଗୁଁ ମାଓବାଦୀଙ୍କ ସଂଖ୍ୟା ଯଥେଷ୍ଟ କମିଥିବା ଶ୍ରୀ ମହାନ୍ତି ପ୍ରକାଶ କରିଥିଲେ । ସିଆରପିଏଫ ତରଫରୁ କରାଯାଉଥିବା ଜନସଂପର୍କ ଶିବିର ଯୋଗୁଁ ଲୋକେ ସିଆରପିଏଫର ବିଶ୍ୱାସଭାଜନ ହୋଇପାରୁଛନ୍ତି, ଯାହା ଦ୍ୱାରା ମାଓବଦୀମାନେ ନିରୀହ ଲୋକକମାନଙ୍କୁ ମାଓ ସଂଗଠନରେ ସାମିଲ କରିପାରୁନାହନ୍ତି ।

ତେବେ ରାୟଗଡ଼ା ଜିଲ୍ଲା ଶିମାନ୍ତ କଳାହାଣ୍ଡି ଜିଲ୍ଲାର ତ୍ରୀଲୋଚନପୁର ଠାରେ ନୂଆ ସିଆରପିଏଫ କ୍ୟାମ୍ପ ଖୋଲାଯିବ ଯାହାଫଳରେ ନିୟମଗିରି ଅଂଚଳରେ ନକ୍ସଲ ଗତିବିଧି ଉପରେ ନଜର ରଖାଯାଇପାରିବ ବୋଲି ଶ୍ରୀମହାନ୍ତି ପ୍ରକାଶ କରିଛନ୍ତି । ଏଥି ସହ ଗତ ଦିନରେ କାଶ୍ମିର ସ୍ଥିତି ଦୃଷ୍ଟିରୁ ସୁନ୍ଦରଗଡ଼ ଏବଂ ସମ୍ବଲପୁର ଜିଲ୍ଲାରୁ ସିଆରପିଏଫ ଜବାନକୁ କିଛି ଦିନ ପାଇଁ ପ୍ରତ୍ୟାହାର କରାଯାଇଛି । ସେଠାରେ ସୁଧାର ଆସିଲେ ପୁଣି ଜବାନମାନେ ଫେରିଆସିବେ ବୋଲି ଶ୍ରୀମହାନ୍ତି ସୁଚନା ଦେଇଛନ୍ତି ।