ବରଗଡ଼,ଏନ୍ଏନ୍ଏସ୍: ବହୁ ପ୍ରତିକ୍ଷୀତ ଗଙ୍ଗାଧର ମେହେର ଉଠା ଜଳସେଚନ ପ୍ରକଳ୍ପକୁ କ୍ୟାବିନେଟ ମଞ୍ଜୁରୀ ମିଳିଛି। ଆଗାମୀ ୩୦ ଦିନ ମଧ୍ୟରେ ଚୁକ୍ତିନାମା ସ୍ୱାକ୍ଷାରିତ ହେବାସହ ତା’ ପରଠାରୁ ୩୦ ମାସ ମଧ୍ୟରେ ପ୍ରକଳ୍ପ କାମ ଶେଷ ହେବ ବୋଲି ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ସୂଚନା ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୧୭ରେ ଘୋଷଣା କରିଥିବା ଗଙ୍ଗାଧର ମେହେର ମେଗା ଉଠା ଜଳସେଚନ ପ୍ରକଳ୍ପଟି ମେଘା ଇଞ୍ଜିନିୟରିଂ ଦ୍ୱାରା ୧୧୩୮.୬୩ କୋଟି ଟଙ୍କା ବ୍ୟୟରେ ନିର୍ମାଣ କରାଯିବ। ଯଦ୍ୱାରା ବରଗଡ଼ ଜିଲ୍ଲାର ତିନୋଟି ବ୍ଲକ ଏବଂ ସୋନପୁର ଜିଲ୍ଲାର ଗୋଟିଏ ବ୍ଲକରେ ସର୍ବନିମ୍ନ ଗୋଟିଏ ଚାଷକୁ ସୁରକ୍ଷିତ ଓ ନିଶ୍ଚିନ୍ତ କରାଯାଇପାରେ। ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆଜି ହୋଇଥିବା କ୍ୟାବିନେଟ ବୈଠକରେ ଏନେଇ ଚୂଡ଼ାନ୍ତ ଆପ୍ରୁଭାଲ ଘୋଷଣା ପରେ ବରଗଡ଼ ଜିଲ୍ଲା ବିଜେଡ଼ି ଦଳ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ଏନେଇ ସୂଚନା ପ୍ରଦାନ କରାଯାଇଥିଲା। ଶ୍ରମ ମନ୍ତ୍ରୀ ତଥା ଭଟଲି ବିଧାୟକ ସୁଶାନ୍ତ ସିଂହ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ବିସ୍ତୃତ ବିବରଣୀ ଉପସ୍ଥାପନ କରିଥିଲେ। ପୂର୍ବରୁ ଗ୍ରହଣ କରାଯାଇଥିବା ଡ଼ିପିଆରରେ ବରଗଡ଼ କେନାଲରୁ ପାଣି ଉଠାଇବାକୁ ଯୋଜନା କରାଯାଇଥିବା ବେଳେ ଚାଷୀମାନେ ଆପର୍ତି ପରେ ତାର ପୁର୍ନବିଚାର କରାଯାଇ ଡ଼ିଜାଇନ ଓ ଡ଼୍ରଇଂରେ ପରିବର୍ତ୍ତନ କରାଯାଇଥିଲ। ପ୍ରକଳ୍ପଠାରୁ ୩୪.୧ କିଲୋମିଟର ଦୂରତାରୁ କେନାଲରୁ ଉଠାଯିବାକୁ ଥିବା ପାଣିକୁ ପରିବର୍ତ୍ତନ କରାଯାଇ ସିଧା ହୀରାକୁଦ ଡ଼୍ୟାମର ଜିରୋ ଆରଡ଼ିରୁ ପାଣି ଉଠାଇବାକୁ ନିଷ୍ପତି ନିଆଯାଇଛି। ହୀରାକୁଦ ଜଳଭଣ୍ଡାରରୁ ପାଇପରେ ପାଣି ଅଣାଯାଇ ତୁରୁଙ୍ଗାରେ ଏକ ବିରାଟବଡ଼ ରିଜର୍ଭଏର ଖୋଳାଯାଇ ଗଚ୍ଛିତ କରାଯିବ ଏବଂ ସେଠୁ ଭୂତଳ ପାଇପ ଜରିଆରେ ପାଣି ଅଣାଯାଇ ସୋହେଲା, ବରପାଲି, ବିଜେପୁର ଓ ଡ଼ୁଙ୍ଗୁରିପାଲି ବ୍ଲକକୁ ପାଣି ଯୋଗାଇ ଦିଆଯିବ। ଏହି ପ୍ରକଳ୍ପ ଦ୍ୱାରା ବିଜେପୁର ବ୍ଲକର ୭୭ ଟି ଗ୍ରାମର ୧୯୦୦୦ ହେକ୍ଟର ଜମି, ସୋହେଲା ବ୍ଲକର ୨୩ ଟି ଗ୍ରାମର ୮୦୦୦ ହେକ୍ଟର ଜମି, ବରପାଲି ବ୍ଲକର ୧୯ ଟି ଗ୍ରାମର ୪୮୦୦ ହେକ୍ଟର ଏବଂ ସୋନପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକର ୫ ଟି ଗ୍ରାମର ୨୦୦ ହେକ୍ଟର ଜମି ଜଳସେଚିତ ହୋଇପାରିବ । ସେହିଭଳି ଜିରୋ ପଏଣ୍ଟରୁ ସୟାଁଯାଏ ଆସିବାକୁ ପାଇପ ଲାଇନ ପାଇଁ ୭୦୦ କୋଟି ଟଙ୍କା ଧାର୍ଯ୍ୟ କରାଯାଇ ଜୁଲାଇ ୭ରେ ଟେଣ୍ଡର ଡ଼କା ଯାଇଥିବାବେଳେ ଆସନ୍ତା ଅଗଷ୍ଟ ୨୬ ରିଚ-୨ ର ଟେଣ୍ଡର ପ୍ରକ୍ରିୟା ଚୂଡ଼ାନ୍ତ କରାଯିବାକୁ ଧାର୍ଯ୍ୟ କରାଯାଇଥିବା ବରଗଡ଼ ଜିଲ୍ଲା ଯୋଜନାବୋର୍ଡ ଅଧ୍ୟକ୍ଷ ଦେବେଶ ଆଚାର୍ଯ୍ୟ ସୂଚନା ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅତାବିରା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ଓ ବିଜେପୁର ବିଧାୟିକା ରୀତା ସାହୁ ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ।