ଶ୍ରୀକ୍ଷେତ୍ରରେ ଚାଞ୍ଚଲ୍ୟ: ପୁଲିସ କ୍ୱାଟରରେ ଗଣଦୁଷ୍କର୍ମ

ପୁରୀ,ଏନ୍ଏନ୍ଏସ୍: ତେଲେଙ୍ଗାନା ଗଣଦୁଷ୍କର୍ମ ମନରୁ ନ ଲିଭୁଣୁ ପୁରୀ ସହରର ଏକ ଜନଗହଳିପୂର୍ଣ୍ଣ ଅଞ୍ଚଳ ଓ ରିଜର୍ଭ ପୁଲିସ ଲାଇନର ଅନତି ଦୂରରେ ଅବସ୍ଥିତ ଝାଡେଶ୍ୱରୀ କ୍ଲବ ନିକଟରେ ଜଣେ ଯୁବତୀଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଘଟଣା ସହରରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏକ ପୁଲିସ କ୍ୱାଟରରେ କରାଯାଇଛି ଏହି ଗଣଦୁଷ୍କର୍ମ। ଦୁଇଜଣ ଯୁବକ ଗଣଦୁଷ୍କର୍ମ କରିଥିବା ବେଳେ ଅନ୍ୟ ଦୁଇଜଣ ଦ୍ୱାର ବନ୍ଦ କରି ବାହାରେ ଜଗି ରହିଥିବା ଜଣାଯାଇଛି। ଭୁବନେଶ୍ୱରରେ ରହୁଥିବା କାକଟପୁର ଅଞ୍ଚଳର ଜଣେ ଯୁବତୀଙ୍କୁ ନିମାପଡା ବସଷ୍ଟାଣ୍ଡରୁ କାର୍ ଯୋଗେ ଉଠାଇ ଆଣି ପୁଲିସ କ୍ୱାଟରରେ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ସମ୍ପୃକ୍ତ ଯୁବତୀ ଜଣକ ଗଣଦୁଷ୍କର୍ମ ସମୟର ଭିଡିଓ ତାଙ୍କର ଆଣ୍ଡ୍ରଏଡ୍ ଫୋନରେ କଏଦ କରିଥିବା ଜଣାପଡିଛି।

ଏ ସଂକ୍ରାନ୍ତରେ କୁମ୍ଭାରପଡା ଥାନା ପୁଲିସ ଜଣେ ବହିଷ୍କୃତ ପୁଲିସ କନଷ୍ଟେବଳ ଜିତେନ୍ଦ୍ର କୁମାର ସେଠୀକୁ ଅଟକ ରଖି ଥାନାରେ ଜେରା କରୁଛନ୍ତି। କୁମ୍ଭାରପଡା ଥାନାରେ ଆରକ୍ଷୀ ଅଧିକ୍ଷକ ଉମା ଶଙ୍କର ଦାଶ, ଡିଏସପି କ୍ଷୀର ସାଗର ନାୟକ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ପଚରାଉଚରା କରୁଛନ୍ତି। ଏହି ଗଣଦୁଷ୍କର୍ମ ଘଟଣାରେ ସମ୍ପୃକ୍ତ ଅନ୍ୟ ୩ଜଣଙ୍କୁ ଧରିବା ପାଇଁ ପୁଲିସ ପକ୍ଷରୁ ତନାଘନା ଉଦ୍ୟମ ଜାରି ରହିଛି। ଏଥିପାଇଁ ଦୁଇଟି ସ୍କ୍ୱାର୍ଡ ଗଠନ କରାଯାଇଛି।

ଗୋଟିଏ ସ୍କ୍ୱାର୍ଡ ଧରା ପଡିଥିବା ଜିତେନ୍ଦ୍ର ସମ୍ପର୍କରେ ତଥ୍ୟ ସଂଗ୍ରହ କରୁଥିବା ବେଳେ ଅନ୍ୟ ଏକ ସ୍କ୍ୱାର୍ଡ ଫେରାର ଅଭିଯୁକ୍ତମାନଙ୍କୁ ଗିରଫ କରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ କରୁଥିବା ଜଣାପଡିଛି। ଇତି ମଧ୍ୟରେ ପୀଡିତାର ବୟାନ ରେକର୍ଡ କରାଯାଇଛି। କୁମ୍ଭାରପଡା ଥାନାରେ ଅଭିଯୁକ୍ତକୁ ଏସପି ଜେରା କରୁଥିବା ବେଳେ ଥାନା ବାହାରେ ବହୁ ଦେଖଣାହାରୀ ରୁଣ୍ଡ ହୋଇ ପୁଲିସ ବିରୁଦ୍ଧରେ ବିଭିନ୍ନ ସ୍ଲୋଗାନ ଦେଉଥିବା ଦେଖିବାକୁ ମିଳିଥିଲା।

ଘଟଣାର ପୃଷ୍ଠଭୂମି

କାକଟପୁର ଅଞ୍ଚଳର ଜଣେ ଯୁବତୀ ଯେ କି ଭୁବନେଶ୍ୱରରେ ଅବସ୍ଥାନ କରନ୍ତି। ଆଜି ସେ ତାଙ୍କ ଘରକୁ ବସ ଯୋଗେ ଫେରୁଥିଲେ। ନିମାପଡା ଠାରେ ବସରୁ ଓହ୍ଲାଇ ଏକ ହୋଟେଲରେ ମଧ୍ୟାହ୍ନ ଭୋଜନ କରୁଥିବା ବେଳେ ବସଟି ଛାଡି ଦେଇଥିଲା। ପରବର୍ତ୍ତୀ ସମୟରେ ଅନ୍ୟ ଏକ ବସରେ କାକଟପୁର ଯିବା ପାଇଁ ସେ ଅପେକ୍ଷା କରିଥିବା ବେଳେ ଏକ କାର୍ ତାଙ୍କ ପାଖରେ ଲାଗିଥିଲା। କାର୍ରୁ ଜଣେ ଯୁବକ ବାହାରି ତାଙ୍କୁ କୁଆଡେ ଯିବେ ବୋଲି ପ୍ରଶ୍ନ କରିଥିଲେ। ସେ କାକଟପୁର ଯିବେ ବୋଲି କହିବାରୁ ମୁଁ ଜଣେ ପୁଲିସ କର୍ମଚାରୀ କହି ତାଙ୍କର ପରିଚୟ ପତ୍ର ଦେଖାଇଥିଲେ। ଯେଉଁଥିରେ କନଷ୍ଟେବଳ ନମ୍ବର ୪୫୦ ଓ ନାମ ଜିତେନ୍ଦ୍ର କୁମାର ସେଠୀ ଉଲ୍ଲେଖ ଥିଲା।

ଜିତେନ୍ଦ୍ରଙ୍କ ଅନୁରୋଧଙ୍କୁ ସମ୍ପୃକ୍ତ ଯୁବତୀ ପ୍ରତ୍ୟାଖ୍ୟାନ କରିବା ପରେ ସେ ଓ କାରରେ ଥିବା ଅନ୍ୟ ତିନିଜଣ ଯୁବକ ତାଙ୍କୁ ଜବରଦସ୍ତ କାର ଭିତରକୁ ଟେକି ନେଇଥିଲେ। କାରଟି ପୁରୀ ଅଭିମୁଖେ ଛୁଟିଥିଲା। ଅଭିଯୁକ୍ତମାନେ ଯୁବତୀଙ୍କୁ ଝାଡେଶ୍ୱରୀ କ୍ଲବ ନିକଟରେ ଥିବା ଏକ ପୁଲିସ କ୍ୱାଟରକୁ ଆଣିଥିଲେ। ସମ୍ପୃକ୍ତ କ୍ୱାଟରଟି ଜିତେନ୍ଦ୍ରଙ୍କ ପତ୍ନୀଙ୍କର ବୋଲି କୁହାଯାଉଛି। ସେ ମଧ୍ୟ ଜଣେ ପୁଲିସ କର୍ମଚାରୀ ଭାବେ କାର୍ଯ୍ୟରତ। କ୍ୱାଟରରେ ଥିବା ଜଣେ ଶିଶୁକୁ ଅଭିଯୁକ୍ତମାନେ ଗୋଟିଏ କୋଠରୀରେ ବନ୍ଦ କରି ଦେଇଥିଲେ। ପରେ ଅଭିଯୁକ୍ତମାନେ ମଦ୍ୟପାନ କରିଥିଲେ ଏବଂ ଯୁବତୀ ପ୍ରତି ଅସଦାଚରଣ ପ୍ରଦର୍ଶନ କରିଥିଲେ।

ଏହି ସମୟରେ ଯୁବତୀ ଜଣକ ତାଙ୍କ ଫୋନରେ ଅଭିଯୁକ୍ତମାନଙ୍କ ଫଟୋ ଉଠାଇଥିଲେ ଏବଂ ଏହା ପୁଲିସ ଓ ଗଣମାଧ୍ୟମକୁ ଦେବେ ବୋଲି ପ୍ରକାଶ କରିଥିଲେ ମଧ୍ୟ ଅଭିଯୁକ୍ତମାନେ ଏଥିରେ ସାମାନ୍ୟତମ ବିଚଳିତ ହୋଇନଥିଲେ। ଜଣକ ପରେ ଜଣେ ଦୁଷ୍କର୍ମ କରିଥିଲେ। ଅତ୍ୟଧିକ ମଦ୍ୟପାନ କରିଥିବାରୁ ଜିତେନ୍ଦ୍ର ଶୋଇ ପଡିଥିଲେ। ଅନ୍ୟ ତିନିଜଣ ସମ୍ପୃକ୍ତ ଯୁବତୀଙ୍କୁ ଏକ କୋଠରୀରେ ବନ୍ଦ କରି ଫେରାର ହୋଇଯାଇଥିଲେ। ସମ୍ପୃକ୍ତ ଯୁବତୀ ଝରକା ବାଟେ ଚିତ୍କାର କରିବାରୁ ରାସ୍ତା ଦେଇ ଯାଉଥିବା ଜଣେ ପୁରୁଷ ଏବଂ ଜଣେ ମହିଳା କ୍ୱାଟରର ଦ୍ୱାର ଖୋଲିଥିଲେ।

ଯୁବତୀ ଜଣକ ପଚାରି ପଚାରି କୁମ୍ଭାରପଡା ଥାନାରେ ପହଞ୍ଚିଥିଲେ। ସେ ସମୟରେ ଜଣେ ମହିଳା ସବ୍ ଇନ୍ସପେକ୍ଟର ବାହାରକୁ ଆସି ଯୁବତୀ ଜଣକୁ ଦେଖିଥିଲେ। ଥାନା ପରିସରକୁ ଆସିଲେ ତଦନ୍ତ କରାଯିବ ବୋଲି କହି ଚାଲିଯାଇଥିଲେ। ପରେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ କେତେକ ଲୋକ ଖବର ଦେବାରେ ଗଣମାଧ୍ୟମ ପ୍ରତିନିଧିମାନେ ଥାନା ସମ୍ମୁଖରେ ପହଞ୍ଚିଥିଲେ। ସମ୍ପୃକ୍ତ ଯୁବତୀ ଥାନା ଭିତରକୁ ଯାଇ ଏତଲା ଦେବା ପରେ ପୁଲିସ ତନାଘନା ଆରମ୍ଭ କରିଥିଲା। ଜେରା ପରେ ଜିତେନ୍ଦ୍ର ଓ ପୀଡିତାଙ୍କୁ ଡାକ୍ତରମାଇନା କରାଯିବ ବୋଲି ପୁଲିସ କହିଛି।

ପୀଡିତାଙ୍କ ବୟାନ

ସମ୍ପୃକ୍ତ ପୀଡିତା ଗଣମାଧ୍ୟମକୁ ବୟାନ ଦେଇ କହିଛନ୍ତି ଯେ ନିମାପଡା ଠାରେ ବସ ଯୋଗେ କାକଟପୁର ଆସିବା ପାଇଁ ସେ ଅପେକ୍ଷା କରିଥିବା ବେଳେ ଜିତେନ୍ଦ୍ର ଓ ତାଙ୍କର ୩ଜଣ ସାଥୀ ତାଙ୍କୁ କାକଟପୁରରେ ଛାଡିଦେବେ ବୋଲି କହିଥିଲେ। ଏଥିରେ ସେ ଅସମ୍ମତ ହେବାରୁ ୪ଜଣ ଯାକ ତାଙ୍କୁ କାରରେ ଟେକି ଆଣିଥିଲେ। ପୁଲିିସ ଲାଇନ ନିକଟସ୍ଥ ପୁଲିସ କ୍ୱାଟରରେ ତାଙ୍କୁ ଜିତେନ୍ଦ୍ର ଓ ଅନ୍ୟ ଜଣେ ଯୁବକ ଗଣଦୁଷ୍କର୍ମ କରିଥିଲେ। ଅନ୍ୟ ଦୁଇଜଣ କବାଟ ଦେଇ ବାହାରେ ଜଗିଥିଲେ। ଏହି ସମୟରେ ସେ ଜିତେନ୍ଦ୍ର ଏବଂ ଅନ୍ୟ ଅଭିଯୁକ୍ତମାନଙ୍କର ଫଟୋ ଉତ୍ତୋଳନ କରିଥିଲେ। ଏହି ଫଟୋ ପୁଲିସ ଏବଂ ଗଣମାଧ୍ୟମକୁ ଦେଖାଇବେ ବୋଲି ସେ ପ୍ରକାଶ କରିଥିଲେ।

ପୁଲିସ କିମ୍ବା ଗଣମାଧ୍ୟମ ପ୍ରତିନିଧି ଆମର କିଛି ବିଗାଡି ପାରିବେ ନାହିଁ ବୋଲି ସେମାନେ କହିଥିଲେ। ପରେ ଗୋଟିଏ ଘରେ ମୋତେ ତାଲା ପକାଇ ସେମାନେ ଚାଲି ଯାଇଥିଲେ। ଜିତେନ୍ଦ୍ର ମଦ ନିଶାରେ ବିଛଣାରେ ଟଳି ପଡିଥିଲେ। ଏହାର ସୁଯୋଗ ନେଇ ମୁଁ ଝରକା ବାଟେ ଚିତ୍କାର କରିବାରୁ ଦୁଇଜଣ ପୁରୁଷ ଓ ମହିଳା ମୋତେ ଉଦ୍ଧାର କରିଥିଲେ।

ବିଭିନ୍ନ ରାଜନୈତିକ ଦଳର ପ୍ରତିକ୍ରିୟା

ଏହି ଘଟଣା ପରେ ଆଜି ରାତିରେ କୁମ୍ଭାରପଡା ଥାନା ସମ୍ମୁଖରେ ବିଭିନ୍ନ ଦଳର କର୍ମୀମାନେ ପୁଲିସ ବିରୁଦ୍ଧରେ ନାରା ଲଗାଇଥିଲେ। ଯୁବ କଂଗ୍ରେସ ଓ ଛାତ୍ର କଂଗ୍ରେସର ସ୍ୱାଧୀନ ପଣ୍ଡା, ଆଲୋକ କୁମାର ଦାଶ, ଦେବାଶୀଷ ଦଇତାପତି ପ୍ରମୁଖ ଏହି ଘଟଣା ପାଇଁ ପୁଲିସର ନିଷ୍କ୍ରିୟତାକୁ ସମ୍ପୂର୍ଣ୍ଣ ଦାୟୀ କରିଥିଲେ। ଅଭିଯୁକ୍ତଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଓ ପୀଡିତାକୁ ଉଚିତ ନ୍ୟାୟ ମିଳିବା ପାଇଁ ସେମାନେ ଦାବି କରିଥିଲେ।

ସେହିଭଳି ବିଜେପିର ଜିଲ୍ଲା ସଭାପତି ପ୍ରଭଞ୍ଜନ ମହାପାତ୍ର, ଜିଲ୍ଲା ସଭାନ୍ରେତୀ ଜ୍ୟୋର୍ତିମୟୀ ମହାପାତ୍ର ଓ ସଂଗ୍ରାମ ପରିଡା ପ୍ରମୁଖ ମହିଳାଙ୍କୁ ସୁରକ୍ଷା ଦେବାରେ ସରକାରଙ୍କ ବିଫଳତା ଏବଂ ପୁରୀ ପୁଲିସର ନିଷ୍କ୍ରିୟତାକୁ ଦାୟୀ କରିଥିଲେ। ଯଥାଶୀଘ୍ର ପୀଡିତାଙ୍କ ପ୍ରତି ଉଚିତ୍ ନ୍ୟାୟ ପ୍ରଦାନ କରାଯାଉ ବୋଲି ସେମାନେ ଏସପିଙ୍କ ଠାରେ ଦାବି କରିଥିଲେ।