ଗଣ ଦୁଷ୍କର୍ମ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ

ଦେବଗଡ଼,ଏନ୍‌ଏନ୍‌ଏସ୍‌: ବାରକୋଟ ଥାନା ଅନ୍ତର୍ଗତ ନେତ୍ରାବାହାଳ ଗ୍ରାମରେ ସଂଘଟିତ ଗଣ ଦୁଷ୍କର୍ମ ମାମଲାରେ ସମ୍ପୃକ୍ତି ଅଭିଯୋଗରେ ବିଚାରଧୀନ ୨ଜଣ ବନ୍ଦୀଙ୍କୁ ମାନ୍ୟବର ଜିଲ୍ଲା ଓ ଦୌରାଜଜ ନିର୍ଦ୍ଦୋଷରେ ଖଲାସ କରିଥିବା ଜଣାପଡ଼ିଛି । ସେମାନେ ହେଲେ ନେତ୍ରାବାହାଳ ଗ୍ରାମର ଶିବ ମହନ୍ତ ଓ ବମ୍ପରଡ଼ା ଗ୍ରାମର ବିଜୁ ମହାକୁଳ । ମିଳିଥିବା ରିପୋର୍ଟ ମୁତାବକ, ଗତ ୨୦୨୧ ମସିହା ଏପ୍ରିଲ ୩୦ ତାରିଖ ନେତ୍ରାବାହଳ ଗ୍ରାମର ଜଣେ ବିବାହିତ ମହିଳାଙ୍କୁ ତାଙ୍କ ସ୍ୱାମୀଙ୍କ ଅନୁପସ୍ଥିତିରେ ଶିବ ଓ ବିଜୁ ଏକ ଆମ୍ବ ଗଛ ମୂଳେ ଏକୁଟିଆ ପାଇ ବଳପୂର୍ବକ ଦୁଷ୍କର୍ମ କରିବା ସହ ନଗ୍ନ ଫଟୋ ମୋବାଇଲରେ ଉତ୍ତୋଳନ କରିଥିଲେ । ଏହାସହ ପୀଡ଼ିତାଙ୍କୁ ଘଟଣା ପ୍ରଘଟ କଲେ ଜୀବନରୁ ମାରି ଦେବାର ଧମକ ଦେଇଥିଲେ । ଫଳରେ ପୀଡ଼ିତା ଗାଁ ଛାଡ଼ି ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡ଼ା ଅଞ୍ଚଳକୁ ଚାଲି ଯାଇଥିଲେ । ଏହା ପରେ ମଧ୍ୟ ଅଭିଯୁକ୍ତମାନେ ପୀଡିତାଙ୍କୁ ଫୋନ କରି ଡାକିବା ସହ ନଆସିଲେ ନଗ୍ନ ଫଟୋ ଭାଇରଲ କରିବାର ଧମକ ଦେଇଥିଲେ । ଅଭିଯୁକ୍ତଙ୍କ ଧମକକୁ ପୀଡ଼ିତା କର୍ଣ୍ଣପାତ ନ କରିବାରୁ ସେମାନେ ମହିଳାଙ୍କ ନଗ୍ନ ଫଟୋ ଭାଇରଲ କରିଥିଲେ । ଏହା ଜଣାପଡ଼ିବା ପରେ ପୀଡ଼ିତାଙ୍କ ପକ୍ଷରୁ ବାରକୋଟ ଥାନାରେ ଲିଖିତ ଅଭିଯୋଗ ପରେ ଦୁଷ୍କର୍ମ, ହତ୍ୟା ଧମକ ଓ ଆଇଟି ଆକ୍ଟରେ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା । ତେବେ ଅଦାଲତରେ ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଥିଲା । ସେହି ଦିନଠାରୁ ଅଭିଯୁକ୍ତମାନେ ବିଚାରଧୀନ ବନ୍ଦୀ ଭାବେ ଜେଲରେ ରହୁଥିଲେ । ଏହି ମାମଲାରେ ୧୮ ଜଣଙ୍କ ସାକ୍ଷୀ ଓ ପ୍ରମାଣକୁ ଆଧାର କରି ମାନ୍ୟବର ଜିଲ୍ଲା ଓ ଦୌରାଜଜ ଗୌତମ ଶର୍ମା ଅଭିଯୁକ୍ତ ଦ୍ୱୟଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । ଅଭିଯୁକ୍ତଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ମନୋଜ କୁମାର ପାଢ଼ୀ ଓ ଜନ୍ମଜୟ ପ୍ରଧାନ ମାମଲା ପରିଚାଳନା କରୁଥିଲେ ।