ୱାଶିଂଟନ, ଏଜେନ୍ସି : ଲଦାଖର ଗଲୱାନ ଉପତ୍ୟକାରେ ଭାରତ ଓ ଚୀନ୍ ଯବାନଙ୍କ ମଧ୍ୟରେ ଗତ ୧୫ ତାରିଖ ରାତିରେ ହୋଇଥିବା ସଂଘର୍ଷ ଘଟଣାରେ ଦୁଇ ଦେଶ ପରସ୍ପର ଉପରେ ଦୋଷ ଲଦୁଥିବା ବେଳେ ଆମେରିକାର ଗୁଇନ୍ଦା ସଂସ୍ଥା ଏକ ଚାଞ୍ଚଲ୍ୟକର ରିପୋର୍ଟ ଦେଇଛି। ଏହି ରିପୋର୍ଟରେ କୁହାଯାଇଛି ଯେ, ଭାରତୀୟ ଯବାନଙ୍କ ଉପରେ ଆକ୍ରମଣ କରିବାକୁ ଚୀନ ସରକାର ନିର୍ଦ୍ଦେଶ ଦେଇଥିଲେ। ଏ ଘଟଣାରେ କେତେଜଣ ଚୀନ୍ ଯବାନ ନିହତ ହୋଇଛନ୍ତି ସେ ସମ୍ପର୍କରେ ଚୀନ୍ ସରକାର ମୁହଁ ଖୋଲୁନଥିବା ବେଳେ ଏହି ରିପୋର୍ଟରେ କିନ୍ତୁ ଚୀନ୍ ସତ ଲୁଚାଉଛି ବୋଲି କୁହାଯାଉଛି। କେତେକ ରିପୋର୍ଟରେ ଚୀନର ୪୩ରୁ ଅଧିକ ଯବାନ ନିହତ ହୋଇଥିବା କୁହାଯାଉଥିଲେ ମଧ୍ୟ ତାହା ମିଥ୍ୟା ବୋଲି ଚୀନ୍ ମଙ୍ଗଳବାର କହିଛି।