ରୁଷୀୟ ଗୋଲ୍ଡ ରିଜର୍ଭ ଉପରେ ଜି-୭ ଲାଗୁକଲା ପ୍ରତିବନ୍ଧ

ନୂଆଦିଲ୍ଲୀ,ଏଜେନ୍ସି: ରୁଷ୍ ବିରୋଧରେ ଆର୍ଥିକ ଯୁଦ୍ଧ ଜାରିରଖିଛି ବିଶ୍ୱ। ଆମେରିକା, ୟୁରୋପୀୟ ୟୁନିୟନ୍ ପରେ ଜି-୭ ରାଷ୍ଟ୍ର ମିଳିତ ଭାବେ ରୁଷ୍‌ର ଗୋଲ୍‌ଡ ରିଜର୍ଭ ଉପରେ କଟକଣା ଲାଗୁ କରିଛନ୍ତି। ରୁଷ୍‌ର ଗୋଲ୍‌ଡ ରିଜର୍ଭ ଉପଯୋଗକୁ ନିଷେଧ କରିଛନ୍ତି ଜି-୭ ରାଷ୍ଟ୍ର। ସୂଚନାଯୋଗ୍ୟ ଯେ ରୁଷ୍ ନିକଟରେ ପାଖାପାଖି ୧୩୦ ବିଲିୟନ୍ ଡଲାର୍‌ର ଗୋଲ୍‌ଡ ରିଜର୍ଭ ରହିଛି। ଏଥିସହିତ ଆମେରିକାର ବାଇଡେନ୍ ପ୍ରଶାସନ ରୁଷ୍ ବିରୋଧରେ ଆର୍ଥିକ କଟକଣାକୁ ଆହୁରି ବ୍ୟାପ୍ତ କରିଛନ୍ତି।

ରୁଷ୍‌ର ୪୮ଟି ସରକାରୀ କମ୍ପାନୀ, ରୁଷ୍ ସଂସଦର ନିମ୍ନ ସଦନ ରୁଷ୍ ଡୁମାର ୩୨୮ ସଦସ୍ୟ ତଥା ରୁଷ୍‌ର ଅନେକ ଅତିବିତ୍ତଶାଳୀ ବ୍ୟକ୍ତିଙ୍କ ଉପରେ ଆର୍ଥିକ କଟକଣା ଲାଗୁ କରିଛି ଆମେରିକା ପ୍ରଶାସନ। ଅପରପକ୍ଷରେ ଜି-୭ ରାଷ୍ଟ୍ରଗୁଡ଼ିକ ରୁଷ୍ ବିରୋଧୀ କଟକଣାକୁ ଲାଗୁ କରିବା ନେଇ ପରସ୍ପର ମଧ୍ୟରେ ସହଯୋଗ କରିବେ ବୋଲି ସ୍ଥିର କରିଛନ୍ତି।