ଅଟୋ ଚାଳକରୁ ଏକନାଥ ସିନ୍ଦେଙ୍କ ମୁଖ୍ୟମନ୍ତ୍ରୀ ହେବାର ଯାତ୍ରା…

ମହାରାଷ୍ଟ୍ର: ମହାରାଷ୍ଟ୍ରରେ ଦୀର୍ଘ ଦିନରୁ ଜାରି ରହିଥିବା ରାଜନୈତିକ ଅସ୍ଥିରତା ଥମିବାରେ ଲାଗିଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ଦେବେନ୍ଦ୍ର ଫଡ଼ନାଭିସ ସମସ୍ତଙ୍କୁ ଚକିତ କରି ଏକନାଥ ସିନ୍ଦେ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ହେବେ ବୋଲି ଘୋଷଣା କରିଛନ୍ତି ।

୧୯୬୪ରେ ଜନ୍ମଗ୍ରହଣ କରିଥିବା ଏକନାଥ ସିନ୍ଦେ ମରାଠା ସମୁଦାୟ ସହ ଜଡ଼ିତ । ସିନ୍ଦେ ଦ୍ୱାଦଶ ପର୍ଯ୍ୟନ୍ତ ପାଠପଢ଼ିବା ପରେ ଜୀବନଯାପନ ଅଟୋ ଚଳାଇବା ଆରମ୍ଭ କରିଥିଲେ । କିନ୍ତୁ ୨୦୧୪ରେ ବିଜେପି ଶିବସେନା ସରକାରରେ ମନ୍ତ୍ରୀ ହେବା ପରେ ପୁଣି ପାଠପଢ଼ା ଆରମ୍ଭ କରିଥିଲେ । ଯଶବନ୍ତ ଚୌହାନ ମୁକ୍ତ ବିଶ୍ୱବିଦ୍ୟାଳୟ ମହାରାଷ୍ଟ୍ରରୁ ସେ ଗ୍ରାଜୁଏସନ କରିଥିଲେ ।

ଏକନାଥ ସିନ୍ଦେ ୧୯୮୦ରେ ଶିବସେନା ମୁଖ୍ୟ ବାଲ ଠାକରେ ଓ ଥାଣେ ଜିଲ୍ଲା ମୁଖ୍ୟ ଆନନ୍ଦ ଦିଘେଙ୍କ ସମ୍ପର୍କରେ ଆସିବା ପରେ ଦଳରେ ସାମିଲ ହୋଇଥିଲେ । ସିନ୍ଦେ ୧୯୯୭ରେ ପ୍ରଥମଥର ପାଇଁ ଥାଣେ ନଗର ନିଗମର କାଉନସିଲର ପଦ ପାଇଁ ନିର୍ବାଚନ ଲଢ଼ିଥିଲେ । ୨୦୦୧ରେ ଥାଣେ ନଗର ନିଗମରେ ସଦନର ନେତା ହୋଇଥିଲେ ଓ ୨୦୦୨ରେ ପୁଣିଥରେ ଥାଣେ ନଗର ନିଗମ କାଉନସିଲର ଭାବେ ନିର୍ବାଚନ ଜିତିଥିଲେ । ମତୋଶ୍ରୀର ସବୁଠୁ ନିକଟତର ନେତାଙ୍କ ତାଲିକାରେ ସିନ୍ଦେ ସର୍ବାଗ୍ରେ ରହିଥିଲେ । ୨୦୦୪ରେ ପ୍ରଥମଥର ପାଇଁ ଥାଣେର କୋପରୀ-ପଛପାଖଡ଼ୀ ନିର୍ବାଚନ କ୍ଷେତ୍ରରୁ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଲଢ଼ିଥିଲେ । ସେବେଠୁ ଲଗାତାର ୪ଥର ପାଇଁ ବିଧାୟକ ହୋଇଥିଲେ । ଏକନାଥ ରାଜନୀତିରେ ପାଦ ଥାପିବାର ଖୁବ୍ କମ୍ ସମୟ ମଧ୍ୟରେ ଥାଣେ-ପାଲଘର କ୍ଷେତ୍ରର ପ୍ରମୁଖ ଶିବସେନା ନେତା ରୂପେ ନିଜର ପରିଚୟ ସୃଷ୍ଟି କରିଥିଲେ । ଜନତାଙ୍କ ସହ ଜଡ଼ିତ ପ୍ରସଙ୍ଗକୁ ଦୃଢ଼ ଭାବେ ଉଠାଇବାକୁ ନେଇ ସେ ବେଶ୍ ପରିଚିତ ଥିଲେ ।

ଏକନାଥ ସିନ୍ଦେ ୨୦୧୪ ବିଧାନସଭା ନିର୍ବାଚନ ଜିତିବା ପରେ ତାଙ୍କୁ ଶିବସେନାର ବିଧାୟକ ଦଳର ନେତା ଭାବେ ଚୟନ କରାଯାଇଥିଲା । ୨୦୧୯ ନଭେମ୍ବରରେ ଉଦ୍ଧବ ଠାକରେଙ୍କ ଏମବିଏ ସରକାର ଶାସନକୁ ଆସିବା ପୂର୍ବରୁ ସିନ୍ଦେଙ୍କୁ ମହାରାଷ୍ଟ୍ର ବିଧାନସଭାର ବିରୋଧୀ ନେତା ଭାବେ ଚୟନ କରାଯାଇଥିଲା । ସିନ୍ଦେଙ୍କୁ ୨୦୧୯ରେ ଏମବିଏ ସରକାରରେ ସହରୀ ବିକାଶ ଓ ଲୋକ ନିର୍ମାଣ ପାଇଁ କ୍ୟାବିନେଟ ମନ୍ତ୍ରୀ କରାଯାଇଥିଲା ।