ବର୍ଷା ପାଇଁ ବେଙ୍ଗ ବେଙ୍ଗୁଲିର ବାହାଘର

ମାଲକାନଗିରି,ଏନ୍ଏନ୍ଏସ୍: ବିଶ୍ୱାସ ହଉ କି ଅନ୍ଧ ବିଶ୍ୱାସ, ବର୍ଷା ଯୋଗୁଁ ଆଦିବାସୀ ସମ୍ପ୍ରଦାୟର ଲୋକେ ବେଙ୍ଗ ବେଙ୍ଗୁଲିର ବାହାଘର କରାଇଛନ୍ତି। ଏଭଳି ଏକ ବିଚିତ୍ର ଦୃଶ୍ୟ ମାଲକାନଗିରି ଜିଲ୍ଲାର ସେରପାଲ୍ଲୀ ଗ୍ରାମରେ ଦେଖିବାକୁ ମିଳିଛି। ଚଳିତ ବର୍ଷ ଜିଲ୍ଲାରେ ବର୍ଷା ଅଭାବରୁ ଚାଷ କାର୍ଯ୍ୟ ପ୍ରଭାବିତ ହୋଇଛି। ତେଣୁ ଇନ୍ଦ୍ରଦେବଙ୍କୁ ସନ୍ତୁଷ୍ଟ କରିବାକୁ ଆଦିବାସୀ ସମ୍ପ୍ରଦାୟର ଲୋକେ ବେଙ୍ଗ ବେଙ୍ଗୁଲିର ବାହାଘର କରାଇଛନ୍ତି।

ଆଦିବାସୀ ରୀତିନୀତି ଅନୁଯାୟୀ ବେଙ୍ଗ ବେଙ୍ଗୁଲିର ବାହାଘର ହୋଇଛି। ଏଥିପାଇଁ ଗ୍ରାମର ୨ ପରିବାରକୁ ବର ପକ୍ଷ ଓ କନ୍ୟା ପକ୍ଷ ଭାବେ ପ୍ରସ୍ତୁତ କରାଯାଇଥିଲା। ଆଉ ଏହି ବାହାଘର ପାଇଁ ବେଦୀ ପ୍ରସ୍ତୁତ କରାଯାଇ ବାହାଘର ହୋଇଥିଲା। ସେହିପରି ଭୋଜି ଭାତର ଆସର ମଧ୍ୟ ଜମିଥିବା ଜଣାପଡ଼ିଛି। ସୌଭାଗ୍ୟ ବଶତଃ ବାହାଘର ପରେ ଜିଲ୍ଲାର ପାଗ ପରିବର୍ତ୍ତନ ହୋଇଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି।