ମଣ୍ଡିରେ ଅବ୍ୟବସ୍ଥା ଯୋଗୁଁ ଲ୍ୟାମ୍ପସ ଏମଡି ନିଲମ୍ବିତ

ମାଲକାନଗିରି,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲାର କାଲିମେଳା ମଣ୍ଡିରେ ସମ୍ପର୍କୀୟ ଦର୍ଶାଇ ଧାନ ବିକ୍ରି କରୁଥିବା ଘଟଣା ଗତ ୨୮ ତାରିଖରେ ପ୍ରକାଶ ପାଇବା ପରେ ଜିଲ୍ଲା ପ୍ରଶାସନ ତତ୍ପରତା ପ୍ରକାଶ କରି କାଲିମେଳା ଲ୍ୟାମ୍ପସ ପରିଚାଳନା ନିର୍ଦ୍ଦେଶକ ସରୋଜ କୁମାର ସୁନ୍ଦରରାୟଙ୍କୁ ନିଲମ୍ବିତ କରିଛି। କାଲିମେଳା ବ୍ଲକର ବୃହତକାର ବହୁମୁଖୀ ସମବାୟ ସମିତିରେ ସରକାରଙ୍କ ନିୟମକୁ ଫୁ କରି ଦଲାଲଙ୍କ ସହ ହାତ ମିଶାଇ ଧାନ କ୍ରୟ କରୁଥିବା ଖବର ପ୍ରଥମେ ନିତିଦିନ’ରେ ପ୍ରକାଶିତ ହେବା ପରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ଯୋଗାଣ ଅଧିକାରୀ ଘଟଣାର ତଦନ୍ତ ଆରମ୍ଭ କରିଥିଲେ।

ଲ୍ୟାମ୍ପସର ଅସାଧୁ କର୍ମଚାରୀ ଓ ଦଲାଲଙ୍କ ନେଟରୁ ଜମି ପଟ୍ଟା ଡାଉନଲଡ କରି ଟୋକନ ହାସଲ କରି ଧାନ ବିକ୍ରି କରିଥିଲେ। ଫଳରେ ପ୍ରକୃତ ଚାଷୀ ଧାନ ବିକ୍ରି କରିନପାରି ମଣ୍ଡିରେ ଜଗି ବସିଥିଲେ। କାଲିମେଳା ବ୍ଲକ୍ ଆମ୍ବାଗୁଡ଼ା ଗ୍ରାମର ବଜା ପଡିଆମି ନାମକ ଜମି ମାଲିକଙ୍କ ପଟ୍ଟାକୁ ଜାଲିଆତି କରି ଡାଉନଲୋଡ୍ କରି କାଲିମେଳା ଗ୍ରାମର କବିତା ମଣ୍ଡଳ ଚଞ୍ଚକତା କରି ଜମି ମାଲିକଙ୍କ ଝିଆରୀ ଦର୍ଶାଇ ପଞ୍ଜୀକରଣ କରି ଟୋକନ ହାସଲ କରିଥିଲେ। ପରବର୍ତ୍ତୀ ସମୟରେ ଧାନ ବିକ୍ରି କରିଥିବା ଅଭିଯୋଗ ହୋଇଥିଲା।

ଚଳିତ ୨୦୨୦-୨୧ ଖରିଫ ବର୍ଷରେ ଧାନ କିଣା ସମୟରେ କାଲିମେଳା ସମବାୟ ସମିତି ଅନ୍ତର୍ଗତ କାଲିମେଳା, ବଡ଼ିଗେଟା, ଗୋମ୍ପାକୋଣ୍ଡା, କାଙ୍ଗୁରୁକୋଣ୍ଡା, ଭେଜାଙ୍ଗିୱଡା, କୋଇମେଟଲା, ତେଲରାଇ, ନାଲାଗୁଣ୍ଠି ଆଦି ଗ୍ରାମର ଆଦିବାସୀ ଚାଷୀଙ୍କ ଜମି ପଟ୍ଟାକୁ କେତେକ ଦଲାଲ ବିଭାଗୀୟ ଅଧିକାରୀଙ୍କ ଜ୍ଞାତ ସାରରେ ସେମାନଙ୍କୁ ତାଙ୍କ ପୁଅ, ନାତି, ପୁତୁରା, ଝିଆରୀ ଓ ଝିଅ ଦର୍ଶାଇ ପଞ୍ଜୀକରଣ କରାଇ ଗରିବ ଆଦିବାସୀମାନଙ୍କ ଧାନକୁ ୧ ହଜାର ଟଙ୍କାରୁ ୧୨ ଶହ ଟଙ୍କା ମଧ୍ୟରେ କ୍ରୟ କରି ମଣ୍ଡିରେ ବିକ୍ରି କରିଥିଲେ। ଫଳରେ ଲକ୍ଷ ଲକ୍ଷ ଟଙ୍କା ଲାଭ କରିଥିବା ଅଭିଯୋଗ ହୋଇଥିଲା। ଏହାପରେ ଜିଲ୍ଲାପାଳ ଡ. ୱାଇ ବିଜୟ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ଜିଲ୍ଲା ଯୋଗାଣ ଅଧିକାରୀ ଅଜୟ କୁମାର ରଥ ଘଟଣାର ତଦନ୍ତ କରି ରିପୋର୍ଟ ପ୍ରଦାନ କରିଥିଲେ। ପରେ ସମବାୟ ସମିତି ସମୂହ ଦ୍ୱାରା ମଧ୍ୟ ବିଭାଗୀୟ ତଦନ୍ତ ଆରମ୍ଭ ହୋଇଥିଲା।