ଦେବଗଡ଼,ଏନ୍ଏନ୍ଏସ୍: ହନୁମାନ ପଇସା ରଖିବା ହେଲା କାଳ। ସହଜ ଉପାୟରେ ଅଧିକ ଅର୍ଥ ଉପାର୍ଜନ ଆଶାରେ ଜଣେ ବନ୍ଧୁଙ୍କୁ ଅନ୍ୟ ବନ୍ଧୁମାନେ ମିଶି ହତ୍ୟା କରିଥିବା ଭଳିି ଏକ ଅଭାବନୀୟ ଘଟଣା ଦେବଗଡ଼ ଥାନା ଅନ୍ତର୍ଗତ ରାଇତାଲ ଗାଁରେ ଘଟିଛି। ଏନେଇ ଆଜି ଦେବଗଡ଼ ଆଦର୍ଶ ଥାନା ପରିସରରେ ଏକ ସାମ୍ବାଦିକ ସମ୍ମିଳନୀରେ ଦେବଗଡ଼ ଏସପି ରାଜକିଶୋର ପାଇକରାୟ ସୂଚନା ଦେଇଛନ୍ତି।
ମିଳିଥିବା ସୁଚନାନୁଯାୟୀ ଦେବଗଡ଼ ଥାନା ଅନ୍ତର୍ଗତ ଟିପିରିସିଂହା ଗ୍ରାମର ଫକିର କିସାନଙ୍କ ପୁଅ କୃଷ୍ଣ କିସାନଙ୍କ ନିକଟରେ ଏକ ହନୁମାନ ପଇସା ଥିବା ନେଇ କୃଷ୍ଣଙ୍କ ସାଙ୍ଗ ଉକ୍ତ ଗ୍ରାମର ଚାଣ୍ଡାଳୁ କିସାନ, ସୁରେନ୍ଦ୍ର ମାଝୀ, ଦୈତାରି କିସାନ ଓ ପ୍ରଦୀପ ମାଝୀ ଜାଣିଥିଲେ। ପରେ ସେମାନେ ଏହି ହନୁମାନ ପଇସାକୁ କୃଷ୍ଣଙ୍କ ନିକଟରୁ ହାତେଇବାକୁ ନେଇ ଯୋଜନା କରିଥିଲେ। ଯୋଜନା ଅନୁଯାୟୀ ଗତ ୪ ତାରିଖ ସଂଧ୍ୟା ପ୍ରାୟ ୮ଟା ସମୟରେ ଗାଁରେ ଏକ ପୂଜା ହେବା ସହ ବୈଠକ ହୋଇଥିଲା। ବୈଠକ ପରେ ୩ ଅଭିଯୁକ୍ତ କୃଷ୍ଣଙ୍କୁ ମାଛ ଧରିବାକୁ ନିକଟସ୍ଥ ରାଇତାଳ ଗାଁକୁ ଡାକି ନେଇଥିଲେ। ତେବେ ରାତି ସାରା କୃଷ୍ଣ ଘରକୁ ଫେରିନଥିବା ବେଳେ ଗତ ୫ ତାରିଖ ଦିନ ପ୍ରାୟ ୧୧ଟା ସମୟରେ ତାଙ୍କ ପରିବାର ଲୋକେ ରାଇତାଳ ଗ୍ରାମ ନିକଟସ୍ଥ ଏକ ଟ୍ରାନ୍ସଫର୍ମର ଖୁଣ୍ଟ ତଳେ କୃଷ୍ଣଙ୍କ ମୃତଦେହ ପଡ଼ିଥିବା ସୂଚନା ପାଇ ଦେବଗଡ଼ ଥାନା ପୁଲିସକୁ ଖବର ଦେଇଥିଲେ। ସୂଚନା ଆଧାରରେ ଦେବଗଡ଼ ଥାନା ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ। ତେବେ ମୃତଦେହରେ ବିଭିନ୍ନ କ୍ଷତ ଚିହ୍ନ ଥିବାରୁ ଏହା ଏକ ସୁକଳ୍ପିତ ହତ୍ୟାକାଣ୍ଡ ହୋଇଥିବା ଆଶଙ୍କା କରି ଏସପି ଶ୍ରୀ ପାଇକରାୟ ଦେବଗଡ଼ ଥାନାଧିକାରୀ ସୁରେନ୍ଦ୍ର କୁମାର ନାୟକଙ୍କ ସହ ଘଟଣାର ତଦନ୍ତ ଆରମ୍ଭ କରିଥିଲେ। ତଦନ୍ତ ବେଳେ ମୃତ କୃଷ୍ଣଙ୍କ ଉପରୋକ୍ତ ସାଙ୍ଗମାନେ କୃଷ୍ଣଙ୍କ ନିକଟରେ ଥିବା ହନୁମାନ ପଇସାକୁ ହାତେଇବା ଉଦ୍ଦେଶ୍ୟରେ ପିଟି ପିଟି ହତ୍ୟା କରିଥିବା ଜାଣିବାକୁ ପାଇଥିଲେ। ସେହିପରି ଏହି ଘଟଣାରେ ସମ୍ପୃକ୍ତ ସମସ୍ତ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚୁରା କରିବା ପରେ ସେମାନେ ହତ୍ୟାକାଣ୍ଡ ଘଟାଇଥିବା ସ୍ୱୀକାର କରିବା ସହ ପୁଲିସ ସମ୍ମୁଖରେ ଘଟଣାର ରୂପାନ୍ତର କରିଥିଲେ। ଫଳରେ ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ହତ୍ୟାକାଣ୍ଡରେ ବ୍ୟବହୃତ ଏକ ଟାଙ୍ଗିଆ, ବାଡ଼ି ଓ ମୁଗୁରା ଜବତ କରିବା ସହ ଆଜି କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି। ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଡିଆଇବି ଡିଏସପି ପ୍ରଦୀପ କୁମାର କେରକେଟା ଓ ଥାନାଧିକାରୀ ସୁରେନ୍ଦ୍ର କୁମାର ନାୟକ ଉପସ୍ଥିତ ଥିଲେ।