ପେଟ୍ରୋଲିଂ ସମୟରେ ୬୪ ବସ୍ତା ଚାଉଳ ଜବତ

ସଇଁନ୍ତଳା,ଏନ୍ଏନ୍ଏସ୍: ରାଜ୍ୟ ସରକାର ଗରିବ ଲୋକଙ୍କୁ ମାଗଣାରେ ଚାଉଳ ଯୋଗାଉଥିବାବେଳେ ବଲାଙ୍ଗିର ଜିଲ୍ଲାରେ ହରିଲୁଟ ଜାରି ରହିଛି। ଏହି ପରିପ୍ରେକ୍ଷୀରେ ଆଜି ସଇଁନ୍ତଳା ପୁଲିସ ଓ ଯୋଗାଣ ବିଭାଗ ୬୪ରୁ ଅଧିକ ବସ୍ତା ଚାଉଳ ଜବତ କରିଥିବା ବେଳେ ଏହାର ଓଜନ ୩୪ କୁଇଣ୍ଟାଲରୁ ଅଧିକ ହେବା ନେଇ ସୂଚନା ମିଳିଛି।

ସୂଚନାଯୋଗ୍ୟ, ବଲାଙ୍ଗିର ଜିଲ୍ଲା ସଇଁନ୍ତଳା ଥାନା ଟିକ୍ରାପଡ଼ା ଫାଣ୍ଡି ନିକଟରେ ଗତକାଲି ବିଳମ୍ବିତ ରାତିରେ ପୁଲିସ ପେଟ୍ରୋଲିଂ କରୁଥିଲା। ଏହି ସମୟରେ ସଇନ୍ତଳାରୁ କଣ୍ଟାବାଞ୍ଜିକୁ ଏକ ହାପ ଟନ ମିନି ଟ୍ରକ ମାଧ୍ୟମରେ ଚାଉଳ ଚୋରା ଚାଲାଣ ହେଉଥିବାବେଳେ ପୁଲିସ ହାତରେ ଗାଡ଼ିଟି ଲାଗିଥିଲା। ବାହାରେ ତେଲ ପେରୁଆ ବସ୍ତା ରହିଥିବାବେଳେ ଗାଡ଼ି ଭିତରେ ବସ୍ତା ବସ୍ତା ଚାଉଳ ଭର୍ତ୍ତି ହୋଇଥିବା ଦେଖିବାକୁ ମିଳିଛି। ଏହାକୁ ନେଇ ଚାଉଳ ଚୋରା ଚାଲାଣ ହେଉଥିବା ସନ୍ଦେହ ଆହୁରି ଘନୀଭୂତ ହେଉଛି। ଚାଉଳ ବସ୍ତା ଉପରେ ଯୋଗାଣ ବିଭାଗର ବସ୍ତା ରହିଥିବାବେଳେ ବସ୍ତା ଗୁଡ଼ିକ ହାତ ସିଲେଇ ରହିଥିବାରୁ ଚାଉଳ ହେରଫେର ହେଉଥିବା ଅଭିଯୋଗ ହୋଇଛି। ଏନେଇ ସଇଁନ୍ତଳା ପୁଲିସ ଅଧିକାରୀ ସଂଗ୍ରାମ କେଶରୀ ପଟ୍ଟନାୟକ ଓ ଯୋଗାଣ ବିଭାଗ ଅଧିକାରୀ ନଳିନୀକାନ୍ତ ପାଳଙ୍କୁ ଖବର ଦେବା ପରେ ଯୋଗାଣ ବିଭାଗ ଅଧିକାରୀ ପହଁଚି ତଦନ୍ତ ଆରମ୍ଭ କରିଥିଲେ। ହେଲେ ଦୀର୍ଘ ୧୨ ଘଣ୍ଟା ଅତିକ୍ରମ କରିଥିଲେ ବି ଚାଉଳ କାହାର ତାହା ଏଯାଏ ସ୍ପଷ୍ଟ ହୋଇନଥିବାରୁ ତଦନ୍ତକୁ ନେଇ ପ୍ରଶ୍ନ ଉଠିଛି। ଛନଛଡ଼ା ଅଞ୍ଚଳରୁ କଣ୍ଟାବାଞ୍ଜିକୁ ଚାଉଳ ଚୋରା ଚାଲାଣ ହେଉଥିବାବେଳେ ଗାଡ଼ିର ଡ୍ରାଇଭରକୁ ଥାନାରେ ଅଟକ ରଖି ପୁଲିସ ପଚରାଉଚୁରା କରୁଛି।