ଫ୍ରେଞ୍ଚ୍ ଓପନ୍‌: ପ୍ରଥମ ରାଉଣ୍ଡ୍‌ରୁ ଓସାକା ଓ କ୍ରେଜିକୋଭା ଆଉଟ୍‌

ପ୍ୟାରିସ୍‌,ଏଜେନ୍ସି: ଚଳିତ ଫ୍ରେଞ୍ଚ୍ ଓପନ୍‌ରେ ସୋମବାର ମଧ୍ୟ ବିପର୍ଯ୍ୟୟ ଧାରା ଜାରି ରହିଛି। ପ୍ରଥମ ଦିନରେ ରବିବାର ପ୍ରଥମ ରାଉଣ୍ଡ୍‌ରୁ ତିନି ଜଣ ତାରକା ଖେଳାଳି ଡୋମିନିକ୍ ଥିମ୍‌, ଓନସ୍ ଜାବିଉର୍ ଓ ଗାର୍ବାଇନ୍ ମୁଗୁରୁଜା ହାରିଯାଇଥିଲେ। ଦ୍ୱିତୀୟ ଦିନରେ ୪ ଥରର ଗ୍ରାଣ୍ଡସ୍ଲାମ୍ ଚାମ୍ପିଅନ୍ ନାଓମୀ ଓସାକା ଓ ଡିଫେଣ୍ଡିଂ ଚାମ୍ପିଅନ୍ ବାର୍ବୋରା କ୍ରେଜିକୋଭା ଦ୍ୱିତୀୟ ରାଉଣ୍ଡ୍ ପର୍ଯ୍ୟନ୍ତ ବି ଯାଇପାରିନାହାନ୍ତି। ଦ୍ୱିତୀୟ ସିଡ୍ ଚେକ୍ ଗଣରାଜ୍ୟର କ୍ରେଜିକୋଭାଙ୍କୁ ସ୍ଥାନୀୟ ଖେଳାଳି ଡାଏନ୍ ପ୍ୟାରୀ ୧-୬, ୬-୨,୬-୩ରେ ପରାସ୍ତ କରିଥିବା ବେଳେ ଜାପାନୀ ଖେଳାଳି ଓସାକା ଆମେରିକାର ୨୭ ନମ୍ବର ଖେଳାଳି ଆମାଣ୍ଡା ଆନିସିମୋଭାଙ୍କଠାରୁ ୫-୭, ୪-୬ରେ ପରାସ୍ତ ହୋଇଛନ୍ତି।

ଗତବର୍ଷ ଏଠାରେ କ୍ରେଜିକୋଭା ରୁଷିଆର ଆନାଷ୍ଟାସିଆ ପାଭ୍‌ଲ୍ୟୁଚେଙ୍କୋଭାଙ୍କୁ ହରାଇ ତାଙ୍କର ପ୍ରଥମ ଗ୍ରାଣ୍ଡସ୍ଲାମ୍ ଟାଇଟଲ୍ ହାସଲ କରିଥିଲେ। କିନ୍ତୁ ଚଳିତ ବର୍ଷ ଏହି ଟୁର୍ଣ୍ଣାମେଣ୍ଟ୍‌ରେ ତାଙ୍କର ଶୋଚନୀୟ ପ୍ରଦର୍ଶନ ଦେଖିବାକୁ ମିଳିଛି। ଗତ ଫେବୃଆରୀ ପରଠାରୁ ସେ ଆଘାତ କାରଣରୁ କୌଣସି ପେସାଦର ଟେନିସ୍ ଖେଳି ନ ଥିବାରୁ ଏହା ତାଙ୍କ ପ୍ରଦର୍ଶନକୁ ପ୍ରଭାବିତ କରିଥିବା ପରିଲକ୍ଷିତ ହୋଇଥିଲା। ୯୭ତମ ର‌୍ୟାଙ୍କ୍‌ର ପ୍ୟାରୀ ପ୍ରଥମ ଥର ପାଇଁ ତାଙ୍କ କ୍ୟାରିୟର୍‌ରେ କୌଣସି ଟପ୍‌-୧୦ ଖେଳାଳିଙ୍କୁ ଭେଟିଥିଲେ ହେଁ ମ୍ୟାଚର ପ୍ରଥମ ସେଟ୍‌କୁ ମାତ୍ର ୩୪ ମିନିଟ୍ ଭିତରେ ଜିତିନେଇଥିଲେ। ୧୯ ବର୍ଷୀୟା ପ୍ୟାରୀ ଦ୍ୱିତୀୟ ରାଉଣ୍ଡରେ କଲମ୍ବିଆର କାମିଲା ଓସୋରିଓଙ୍କୁ ଭେଟିବେ।

ଅନ୍ୟପକ୍ଷରେ ବିଶ୍ୱର ଏକ ନମ୍ବର ମହିଳା ଖେଳାଳି ଇଗା ସ୍ୱିଆଟେକ୍ ବିଜୟ ସହ ତାଙ୍କର ଅଭିଯାନ ଆରମ୍ଭ କରିଛନ୍ତି । ଟୁର୍ଣ୍ଣାମେଣ୍ଟ୍‌ର ଏହି ଅନ୍ୟତମ ଫେବରିଟ୍ ଖେଳାଳି ଜଣକ ସୋମବାର ତାଙ୍କ ପ୍ରଥମ ରାଉଣ୍ଡ୍ ମ୍ୟାଚ୍‌ରେ ୟୁକ୍ରେନ୍‌ର ଲେସିଆ ଟିସୁରେଙ୍କୋଙ୍କୁ ୬-୨, ୬-୦ରେ ପରାସ୍ତ କରିଛନ୍ତି। ଏଥିସହ ସେ ତାଙ୍କର କ୍ରମାଗତ ୨୯ତମ ବିଜୟ ହାସଲ କରିଛନ୍ତି। ଫ୍ରେଞ୍ଚ୍ ଓପନ୍ ପୂର୍ବରୁ ସେ ଇଟାଲିଆନ୍ ଓପନ୍‌, ଷ୍ଟଟ୍‌ଗାର୍ଟ ଓପନ୍‌, ମିଆମି ଓପନ୍‌, କତାର ଓପନ୍ ଓ ଇଣ୍ଡିଆନ୍ ୱେଲ୍ସ ମାଷ୍ଟର୍ସରେ ଅପରାଜେୟ ରହିଥିଲେ।