ଏସିଆ କପ୍ ହକି: ଭାରତର ପ୍ରଥମ ମ୍ୟାଚ୍ ଡ୍ର’

ଜାକର୍ତ୍ତା,ଏଜେନ୍ସି: ଏଠାରେ ସୋମବାରଠାରୁ ଏସିଆ କପ୍ ହକି ଟୁର୍ଣ୍ଣାମେଣ୍ଟ୍ ଆରମ୍ଭ ହୋଇଥିବା ବେଳେ ଡିଫେଣ୍ଡିଂ ଚାମ୍ପିଅନ୍ ଭାରତ ତା’ର ପ୍ରଥମ ମୁକାବିଲାକୁ ୧-୧ରେ ଡ୍ର’ ରଖିଛି। ଏହି ମ୍ୟାଚ୍‌ରେ ଭାରତ ଓ ପାକିସ୍ତାନ ଗୋଟିଏ ଲେଖାଏଁ ଗୋଲ୍ ଦେବା ଫଳରେ ପୁଲ୍‌-ଏ’ର ଏହି ମ୍ୟାଚ୍‌ଟି ବିନା ଫଳାଫଳରେ ଶେଷ ହୋଇଛି। ଭାରତ ପକ୍ଷରୁ ସିନିୟର୍ ଲେବଲ୍‌ରେ ଡେବ୍ୟୁ କରିଥିବା ସେଲଭାମ୍ କାର୍ତ୍ତି ମ୍ୟାଚ୍‌ର ପ୍ରଥମ କ୍ୱାର୍ଟର୍‌ରେ ଭାରତକୁ ଗୁରୁତ୍ୱପୂର୍ଣ୍ଣ ଅଗ୍ରଣୀ ଦେଇଥିଲେ। ଅଷ୍ଟମ ମିନିଟ୍‌ରେ ଦଳକୁ ମିଳିଥିବା ପେନାଲ୍‌ଟି କର୍ଣ୍ଣର୍‌ରୁ ଏହି ଗୋଲ୍‌ଟି ସ୍କୋର୍ ହୋଇଥିଲା।

୨୦ ବର୍ଷୀୟ ସେଲଭାମ୍‌ଙ୍କ ଶକ୍ତିଶାଳୀ ଶଟ୍ ପାକିସ୍ତାନୀ ଡିଫେଣ୍ଡର୍ ମହମ୍ମଦ ଅବଦୁଲ୍ଲାଙ୍କ ଷ୍ଟିକ୍‌ରୁ ଡିଫ୍ଲେକ୍ସନ୍ ହେବା ପରେ ଏହାକୁ ସେ ଗୋଲ୍‌ରେ ପରିଣତ କରିଥିଲେ। ପ୍ରଥମ ୧୫ ମିନିଟ୍‌ର ଖେଳରେ ପାକିସ୍ତାନୀ ଅଧିନାୟକ ଉମର ଭଟ୍ଟି ସ୍ଥିତି ବରାବର କରିବାକୁ ଭରପୂର ଉଦ୍ୟମ କରିଥିଲେ ହେଁ ତାଙ୍କୁ ଏଥିରେ ସଫଳତା ମିଳିପାରି ନଥିଲା। ପରବର୍ତ୍ତୀ ଦୁଇଟି କ୍ୱାର୍ଟର୍‌ରେ ଆଉ କୌଣସି ଗୋଲ୍ ହୋଇ ନ ଥିଲେ ହେଁ ଶେଷ କ୍ୱାର୍ଟର୍‌ରେ ଅନ୍ତିମ ମିନିଟ୍ ପର୍ଯ୍ୟନ୍ତ ଭାରତ ତା’ର ଅଗ୍ରଣୀକୁ କାଏମ ରଖିଥିଲା। କିନ୍ତୁ ମାତ୍ର କେଇ ସେକେଣ୍ଡ୍ ପୂର୍ବରୁ ଅବଦୁଲ୍ ରାଣା ପେନାଲ୍‌ଟି କର୍ଣ୍ଣର୍‌ରୁ ଗୋଲ୍ ସ୍କୋର୍ କରି ମ୍ୟାଚ୍‌କୁ ଡ୍ର’ରେ ଶେଷ କରିଥିଲେ। ପାକିସ୍ତାନୀ ଗୋଲକିପର୍ ଅକମଲ୍ ହୁସେନ୍ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି। ପୁଲ୍‌-ଏ’ର ଅନ୍ୟ ଏକ ମ୍ୟାଚ୍‌ରେ ଜାପାନ ଆୟୋଜକ ଇଣ୍ଡୋନେସିଆକୁ ୯-୦ରେ ପରାସ୍ତ କରିଛି। ଭାରତ ତା’ର ପରବର୍ତ୍ତୀ ମ୍ୟାଚ୍ ଆସନ୍ତା ମଙ୍ଗଳବାର ଜାପାନ ବିପକ୍ଷରେ ଖେଳିବ।