ଦେବଗଡ଼,ଏନ୍ଏନ୍ଏସ୍: ପ୍ରାନ୍ତୀୟ ମାରୱାଡ଼ି ଯୁବମଞ୍ଚ ଓ ରାଉରକେଲାସ୍ଥିତ ଜୟ ପ୍ରକାଶ ଟ୍ରଷ୍ଟ ମିଳିତ ଆନୁକୂଲ୍ୟରେ ସାମାଜିକ କାର୍ଯ୍ୟକ୍ରମ ଅନ୍ତର୍ଗତ ନିଃଶୁଳ୍କ ଚକ୍ଷୁ ଚିକିତ୍ସା ଶିବିର ଉଦଯାପିତ ହୋଇଯାଇଛି । ଗତ ୫ ଦିନ ଧରି ଦେବଗଡ଼ ପୌରାଞ୍ଚଳ ସମେତ ରିଆମାଳ ବ୍ଲକ ଓ ବାରକୋଟ ବ୍ଲକ କଣ୍ଢଳଠାରେ ଅନୁଷ୍ଠିତ ଶିବିରରେ ମୋଟ ୨,୧୦୯ଜଣ ମହିଳା ଓ ପୁରୁଷଙ୍କ ଚକ୍ଷୁ ପରୀକ୍ଷା କରାଯାଇଥିଲା । ସେଥିମଧ୍ୟରୁ ୯୩୨ ଜଣଙ୍କୁ ନିଃଶୁଳ୍କ ଚଷମା ପ୍ରଦାନ କରାଯାଇଥିବାବେଳେ ୧୦୪ ଜଣଙ୍କ ମୋତିଆ ବିନ୍ଦୁ ଚିହ୍ନଟ କରାଯାଇଥିଲା । ତେବେ ଚିହ୍ନଟ ୧୦୪ ବ୍ୟକ୍ତିଙ୍କ ମଧ୍ୟରୁ ୩୫ଜଣ ଚକ୍ଷୁ ଅସ୍ତ୍ରୋପଚାର ପାଇଁ ରାଜି ହେବାରୁ ସେମାନଙ୍କୁ ରାଉରକେଲାସ୍ଥିତ ଜୟ ପ୍ରକାଶ ହସ୍ପିଟାଲରେ ନିଃଶୁଳ୍କ ଅସ୍ତ୍ରୋପଚାର କରାଯାଇଥିଲା । ସଂଯୋଜକ ଜିତେନ୍ଦ୍ର ଅଗ୍ରୱାଲଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ମଞ୍ଚର ସଭାପତି ପ୍ରକାଶ ଅଗ୍ରୱାଲ, ସମ୍ପାଦକ ମନୀଷ ଅଗ୍ରୱାଲ, ପ୍ରମୋଦ ଗୋଏଲ,ବିବେକ ଗୋଏଲ, ଆକାଶ ଅଗ୍ରୱାଲ ଓ ପୁରୁଷୋତ୍ତମ ଅଗ୍ରୱାଲଙ୍କ ସମେତ ମଞ୍ଚର ସମସ୍ତ ସଦସ୍ୟ ସକ୍ରିୟ ସହଯୋଗ କରିଥିଲେ ।