ଚମ୍ବଲ ନଦୀରେ ନୌକା ଓଲଟି ୧୪ ମୃତ

କୋଟା,ଏଜେନ୍ସି: ବୁଧବାର ସକାଳେ ରାଜସ୍ଥାନର ବୁନ୍ଦି ଜିଲ୍ଲା ଇନ୍ଦରଗଡ ଅଞ୍ଚଳରେ ପ୍ରାୟ ୪୦  ଭକ୍ତଙ୍କୁ ଏକ ମନ୍ଦିରକୁ ନେଇ ଯାଉଥିବା ନୌକା ଚମ୍ବଲ ନଦୀରେ ଓଲଟି ପଡିବାରୁ ଅନ୍ୟୁନ ୧୪ ଜଣଙ୍କର ମୃତ୍ୟୁ ଘଟିଛି। କୋଟା ଜିଲ୍ଲାର ଖଟୋଲି ଥାନା ଅଞ୍ଚଳରେ ଘଟିଥିବା ଏହି ନୌକାବୁଡି ସମ୍ପର୍କରେ କୋଟା ଗ୍ରାମାଞ୍ଚଳ ଏସପି ଶରଦ ଚୌଧୁରୀ କହିଛନ୍ତି ଯେ, ମନ୍ଦିରକୁ ୪୦ ଜଣ ଭକ୍ତଙ୍କୁ ନେଇ ଯାଉଥିବା ନୌକାଟି ବୁଧବାର ସକାଳ ପ୍ରାୟ ୮.୪୫ ମିନିଟରେ ଚମ୍ବଲ ନଦୀରେ ଓଲଟି ପଡିଥିଲା। ପ୍ରାୟ ୨୦/୨୫ ଜଣ ଲୋକ ପହଁରି ପହଁରି ନଈକୂଳରେ ପହଞ୍ଚିଥିବା ରିପୋର୍ଟ ମିଳିଛି। ତେବେ ୧୪ ଜଣ ଲୋକ ନିଖୋଜ ଥିବାରୁ ସେମାନଙ୍କ ମୃତ୍ୟୁ ଘଟିଥିବା ଆଶଙ୍କା କରାଯାଉଛି। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ଖଟୋଲି ଥାନା  ବିଭିନ୍ନ ଗାଁରୁ ମହିଳା ଓ ପିଲାଙ୍କ ସମେତ ୪୦/୫୦ ଜଣ ଲୋକ ଇନ୍ଦରଗଡରେ ଅବସ୍ଥିତ କମଳେଶ୍ୱର ମହାଦେବ ମନ୍ଦିରକୁ ଦର୍ଶନ ନିମନ୍ତେ ଯାଉଥିଲା ବେଳେ ଏଭଳି ଅଘଟଣ ଘଟିଥିଲା। ସ୍ଥାନୀୟ ପ୍ରଶାସନ, ଗ୍ରାମବାସୀ ଏବଂ ପୁଲିସ ଟିମ୍ ମିଳିତ ଭାବେ ଉଦ୍ଧାର କାର୍ଯ୍ୟରେ ଲଗିପଡିଥିଲେ। ରାଜ୍ୟ ବିପର୍ଯ୍ୟୟ ମୁକାବିଲା ବାହିନୀ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରିଛି। ଏହି ଦୁଃଖଦାୟକ ଖବର ଶୁଣି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ଶୋକ ପ୍ରକାଶ କରିଛନ୍ତି।