ସ୍କୁଲ କ୍ୟାମ୍ପସରେ ହେବ କିଚେନ୍ ଗାର୍ଡେନ

ପ୍ରତି ସ୍କୁଲକୁ ଦିଆଯିବ ୫ ହଜାର ଲେଖାଏଁ ଅନୁଦାନ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟ ସରକାର ସ୍କୁଲରେ ଆରମ୍ଭ କରିବାକୁ ଯାଉଛନ୍ତି କିଚେନ୍ ଗାର୍ଡେନ। ଭୋଜନ ଯୋଜନା ଅଧୀନରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହେବ। ଏନେଇ ରାଜ୍ୟରେ ୪୩ ହଜାର ସ୍କୁଲକୁ ଚୟନ କରାଯାଇଥିବା ବେଳେ ପ୍ରତି ସ୍କୁଲକୁ ୫ହଜାର ଟଙ୍କା ଲେଖାଏଁ ଅନୁଦାନ ପ୍ରଦାନ କରାଯିବ ବୋଲି ରାଜ୍ୟ ନୋଡାଲ ଅଫିସର ଡ.ଗଙ୍ଗାଧର ସାହୁ ସୂଚନା ଦେଇଛନ୍ତି।
ଡ. ସାହୁ କହିଛନ୍ତି ଯେ, ପୂର୍ବରୁ ବିଭିନ୍ନ ସ୍କୁଲ ପରିସରରେ ଏପରି ବ୍ୟବସ୍ଥା ରହିଥିଲା। ମାତ୍ର ପରବର୍ତ୍ତୀ ସମୟରେ ଏହି ସବୁ ବନ୍ଦ ହୋଇଯାଇଥିଲା। ଏହାକୁ ପୁଣିଥରେ ଆରମ୍ଭ କରିବାକୁ ଯୋଜନା କରାଯାଇଛି। ଏହି ଯୋଜନାରେ ସ୍କୁଲଗୁଡ଼ିକୁ ଜିଲ୍ଲା ଉଦ୍ୟାନ କୃଷି ବିଭାଗ ପକ୍ଷରୁ କିଟ୍ ପ୍ରଦାନ କରାଯିବ। ସ୍କୁଲ କର୍ତ୍ତୃପକ୍ଷ ତଥା ସ୍କୁଲ ମ୍ୟାନେଜମେଣ୍ଟର ସଦସ୍ୟଙ୍କ ପରାମର୍ଶରେ ସ୍କୁଲ ପରିସରରେ ପରିବା ଚାଷ କରାଯିବ। ସ୍କୁଲ ଖୋଲିଲେ ଛାତ୍ରଛାତ୍ରୀଙ୍କୁ ମଧ୍ୟ ଏଥିରେ ସାମିଲ କରାଯିବ। ତେବେ ନୂତନ ଶିକ୍ଷା ନୀତି ଅନୁସାରେ ଛାତ୍ରଛାତ୍ରୀଙ୍କୁ କୃଷି ଜ୍ଞାନ ପାଇବା ପାଇଁ ଏହା କରାଯାଇଛି। ମଧ୍ୟାହ୍ନ ଭୋଜନ ଅନ୍ତର୍ଗତ ଏହି ଯୋଜନାରେ ସ୍କୁଲ କର୍ତ୍ତୃପକ୍ଷ ଏବଂ ଛାତ୍ରଛାତ୍ରୀ ମିଶି ପନିପରିବା ଗଛ ଲଗାଇବେ। ମୌସୁମୀ ସକ୍ରିୟ ଥିବାରୁ ଲେମ୍ବୁ, ଶଜନା, ଅମୃତଭଣ୍ଡା, ପଣସ ଭଳି ଗଛ ଲଗାଇବା ପାଇଁ କୁହାଯାଇଛି। ଏହାବ୍ୟତୀତ ଏହି ଯୋଜନାରେ ନିଜ ବାଡ଼ିରୁ ତୋଳି ପିଲାଙ୍କୁ ଖାଇବାକୁ ଦିଆଗଲେ ପିଲାଙ୍କ ମଧ୍ୟ ପୋଷଣ ବୃଦ୍ଧି ହେବ। ଚାଷ ସମ୍ବନ୍ଧରେ ପିଲାମାନେ ଜ୍ଞାନ ହାସଲ କରିପାରିବେ। ଏହାବ୍ୟତୀତ ସ୍ୱୟଂ ସହାୟକ ଗୋଷ୍ଠୀ ମଧ୍ୟ ଉପକୃତ ହେବାର ସମ୍ଭାବନା ରହିଛି ବୋଲି ସେ କହିଛନ୍ତି।