୪୫ ଭାରତୀୟ ମତ୍ସ୍ୟଜୀବୀଙ୍କୁ ପାକ୍ ସେନାର ଅପହରଣ

ନୂଆଦିଲ୍ଲୀ,ଏଜେନ୍ସି: ବୁଧବାର ପାକିସ୍ତାନ ନୌସେନା ଭାରତୀୟ ଜଳସୀମା ମଧ୍ୟରେ ପ୍ରବେଶ କରି ୮ଟି ବୋଟରେ ଥିବା ୪୫ ମତ୍ସ୍ୟଜୀବୀଙ୍କୁ ଗିରଫ କରି କରାଚୀ ବନ୍ଦରକୁ ନେଇଯାଇଛି। ୮ଟି ବୋଟ୍ ମଧ୍ୟରୁ ୬ଟି ପୋରବନ୍ଦର ଓ ୨ଟି ବୋଟ୍ ବିରାବଲ ଅଞ୍ଚଳର ବୋଲି ଜଣାପଡିଛି। ଏହାକୁ ନେଇ ଗୁଜରାଟର ମତ୍ସ୍ୟଜୀବୀମାନେ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ପାକ୍ ନୌସେନା ଦ୍ୱାରା ଗିରଫ ମତ୍ସ୍ୟଜୀବୀମାନେ ଭାରତୀୟ ଜଳସୀମା ମଧ୍ୟରେ ମାଛ ଧରୁଥିଲେ, ମାତ୍ର ପାକ୍ ନୌସେନା ସେମାନଙ୍କୁ ଅଯଥାରେ ଗିରଫ କରିନେଇଛି ବୋଲି ସେମାନେ ଅଭିଯୋଗ କରିଛନ୍ତି। ପାକ୍ ନୌସେନାର ଏହି କାର୍ଯ୍ୟରେ ଭାରତୀୟ ତଟରକ୍ଷୀ ବାହିନୀ ସତର୍କ ହୋଇଯାଇଛି। ଏହାପୂର୍ବରୁ ଗତ ଫେବ୍ରୁଆରୀ ମାସରେ ପାକ୍ ତଟରକ୍ଷୀବାହିନୀ ସୌରାଷ୍ଟ୍ରର ୩ଟି ନୌକା ସହ ୧୭ ମତ୍ସ୍ୟଜୀବୀଙ୍କୁ ବନ୍ଦୀ କରି ନେଇଥିଲା।