ଦେବଗଡ଼,ଏନ୍ଏନ୍ଏସ୍: ଦେବଗଡ଼ ଜିଲ୍ଲା ପୁଲିସ ପକ୍ଷରୁ ସ୍ଥାନୀୟ ରିଜର୍ଭ ପୁଲିସ ପଡିଆ ଠାରେ 87 ତମ ପୁଲିସ ପ୍ରତିଷ୍ଠା ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଦେବଗଡ଼ ଏସ୍ପି ରାଜକିଶୋର ପାଇକରାୟ ପୁଲିସ ପତାକା ଉତ୍ତୋଳନ କରିବା ସହ ପୁଲିସ ପରେଡର ଅଭିବାଦନ ଗ୍ରହଣ କରିଥିଲେ। ଏହି ଅବସରରେ ଶ୍ରୀ ପାଇକରାୟ ପୁଲିସ ବିଭାଗରେ କାର୍ଯ୍ୟରତ ଅଧିକାରୀ ଓ କର୍ମଚାରୀଙ୍କୁ ଶୁଭେଚ୍ଛା ଜଣାଇବା ସହ ଦାୟିତ୍ୱ ସମ୍ପାଦନ ବେଳେ ପ୍ରାଣ ହରାଇଥିବା ପୁଲିସ ପରିବାରଙ୍କୁ ସମବେଦନା ଜଣାଇଥିଲେ। ସେହିପରି କୋଭିଡ ମୁକାବିଲା ହେଉ କି ମାଓ ମୁକାବିଲା ଜିଲ୍ଲା ପୁଲିସ ତାର ଦକ୍ଷତା ପ୍ରତିପାଦନ କରିଥିବା ଶ୍ରୀ ପାଇରାୟ ପ୍ରକାଶ କରିବା ସହ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା ପାଠ କରିଥିଲେ।
ପୁଲିସ ପ୍ରତିଷ୍ଠା ଦିବସ ଅବସରରେ ଶ୍ରେଷ୍ଠ କାର୍ଯ୍ୟ ଦକ୍ଷତା ପ୍ରତିପାଦନ କରିଥିବା ଉପ ଆରକ୍ଷୀ ଅଧିକ୍ଷକ ପ୍ରତ୍ୟୁଷ କୁମାର ମହାପାତ୍ର, ନିରୀକ୍ଷକ ସୁରେନ୍ଦ୍ର କୁମାର ନାୟକ, ସବ୍ ଇନ୍ସପେକ୍ଟର ଦେବବ୍ରତ ନାୟକ, ମହିଳା କନଷ୍ଟେବଳ ସବିତା କାଲୋ, ସହକାରୀ ଉପ ଆରକ୍ଷୀ ପ୍ରଭାତ କୁମାର ନାୟକ, ମୁଖ୍ୟ ଆରକ୍ଷୀ ସଞ୍ଜୀବ କୁମାର ବେହେରା, ସାଧାରଣ ଆରକ୍ଷୀ ହେମନ୍ତ କୁମାର ପ୍ରଧାନ, ସଶସ୍ତ୍ର ଆରକ୍ଷୀ ସାହୁ, ଟ୍ରାଫିକ ଆରକ୍ଷୀ ସୌଭାଗ୍ୟ କୁମୁରା, ୪ର୍ଥ ଆଇଆର୍ବି ଡେପୁଟି ସୁବେଦାର ସୁରଞ୍ଜନ ବେହେରା, ହାବିଲଦାର ମେଜର ଗଦାଧର କହଁର, ହାବିଲଦାର ଲାଲ ବହାଦୁର ଥାପ୍ପା, କନଷ୍ଟେବଳ ପଲ୍ଲବ ପ୍ରଧାନ ପ୍ରମୁଖଙ୍କୁ ଓଡିଶା ପୁଲିସ ପକ୍ଷରୁ ପୁରସ୍କୃତ କରାଯାଇଥିଲା।