ଶ୍ରୀନଗର,ଏଜେନ୍ସି: ଦକ୍ଷିଣ କଶ୍ମୀରର ଶୋପିଆର ତୁର୍କୁୱାଙ୍ଗମ୍ ଗାଁରେ ସୁରକ୍ଷାବାହିନୀର ଯବାନ ଓ ଆତଙ୍କବାଦ ମୁହାଁମୁହିଁ ହୋଇଛନ୍ତି। ଏହି ଏନ୍କାଉଣ୍ଟରରେ ଜଣେ ଅଜଣା ଆତଙ୍କବାଦୀ ନିପାତ ହୋଇଛି। ଜମ୍ମୁ କଶ୍ମୀର ପୋଲିସ ଏହି ସୂଚନା ଦେଇଛି। ଜମ୍ମୁ କଶ୍ମୀର ପୋଲିସ, ସେନା ଓ ସିଆରପିଏଫର ସଂଯୁକ୍ତ ଟିମକୁ ଏହି ଅଞ୍ଚଳରେ ଆତଙ୍କବାଦୀ ଚଳପ୍ରଚଳ କରୁଥିବା ନେଇ ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଥିଲା। ସୁରକ୍ଷା ବଳ ସନ୍ଦିଗ୍ଧ ଅଂଚଳରେ ସର୍ଚ୍ଚ ଅପରେଶନ କରୁଥିବା ବେଳେ ଆତଙ୍କବାଦୀକୁ ସାମ୍ନା କରିଥିଲେ। ତେବେ ରିପୋର୍ଟ ଲେଖାଯିବା ବେଳକୁ ସେନାର ସର୍ଚ୍ଚ ଅପରେଶନ ଜାରି ରହିଛି।
ସୂଚନାଯୋଗ୍ୟ, ମଙ୍ଗଳବାର ରାତିରେ ମଧ୍ୟ ସେନାକୁ ବଡ଼ ସଫଳତା ମିଳିଥିଲା। ଶ୍ରୀନଗରର ରେନାୱାରୀ ଅଞ୍ଚଳରେ ସୁରକ୍ଷା ବାହିନୀର ଯବାନମାନେ ଲଶ୍କର-ଏ-ତଇବାର ୨ ଜଣ ଆତଙ୍କବାଦୀଙ୍କୁ ନିପାତ କରିଥିଲେ। ନିହତ ହୋଇଥିବା ଆତଙ୍କବାଦୀଙ୍କ ଠାରୁ ପୋଲିସ ଅସ୍ତ୍ର, ଗୁଳି-ବନ୍ଧୁକ ସମେତ ଆପତ୍ତିଜନକ ସାମଗ୍ରୀ ଜବତ କରିଥିଲା।
ତେବେ ଜମ୍ମୁ କଶ୍ମୀର ସେନାର ତୀକ୍ଷ୍ଣ ନଜର ପରେ ବି ଆତଙ୍କବାଦୀମାନେ ହଟୁନାହାନ୍ତି। ବରଂ ସମୟ ସୁଯୋଗ ଦେଖି ଜନସାଧାରଣ, ସରକାରୀ କାର୍ଯ୍ୟାଳୟ ଉପରେ ଆକ୍ରମର କରୁଛନ୍ତି।