ନୂଆଦିଲ୍ଲୀ,ଏଜେନ୍ସି: ଭାରତରେ କୋଭିଡ୍ ସଂକ୍ରମଣ ଆଶାତୀତ ଭାବେ ବୃଦ୍ଧି ପାଉଥିଲାବେଳେ ଅକ୍ସିଜେନ, ଔଷଧ ଓ ଟିକାର ଅଭାଗ ଯୋଗୁଁ ଏକ ଅଭୂତପୂର୍ବ ପରିସ୍ଥିତି ସୃଷ୍ଟି ହୋଇଛି। ଏହି ପରିପ୍ରେକ୍ଷୀରେ ବିଶ୍ୱର ୪୦ଟି ରାଷ୍ଟ୍ର କୋଭିଡ୍ ମହାମାରୀ ବିରୋଧରେ ଲଢ଼େଇରେ ଭାରତକୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିଛନ୍ତି ବୋଲି ବୈଦେଶିକ ସଚିବ ହର୍ଷବର୍ଦ୍ଧନ ଶ୍ରୀଙ୍ଗଲା କହିଛନ୍ତି। ଇତିମଧ୍ୟରେ ରୁଷିଆରୁ ଦୁଇଟି ବିମାନରେ ୨୦ଟି ଅକ୍ସିଜେନ କନସେନ୍ଟ୍ରେଟର୍, ୭୫ଟି ଭେଣ୍ଟିଲେଟର୍ ଓ ୧୫୦ଟି ବେଡସାଇଡ୍ ମନିଟର୍ ଦିଲ୍ଲୀରେ ଆସି ପହଞ୍ôଚଛି।
ଶ୍ରୀଙ୍ଗଲା ଗୁରୁବାର ନୂଆଦିଲ୍ଲୀରେ କହିଛନ୍ତି, ଭାରତ ବିଭିନ୍ନ ରାଷ୍ଟ୍ରକୁ ସେମାନଙ୍କ ସଙ୍କଟ ସମୟରେ ସାହାଯ୍ୟ ଯୋଗାଇ ଦେଇଥିବାରୁ ସେମାନେ ଏବେ ସହାୟତାର ହାତ ବଢ଼ାଇଛନ୍ତି। ସେ କହିଛନ୍ତି, ‘ଏହା ଏକ ଅଭୂତପୂର୍ବ ପରିସ୍ଥିତି। ଆମେ କେତେକ ନିର୍ଦ୍ଦିଷ୍ଟ ବିଷୟକୁ ଅଗ୍ରାଧିକାର ଦେଉଛୁ। ବିଭିନ୍ନ ଦେଶରୁ ଅକ୍ସିଜେନ, ଔଷଧ ଭଳି ଅତ୍ୟାବଶ୍ୟକ ସାମଗ୍ରୀ ଆଣୁଛୁ। କେତେକ ରାଷ୍ଟ୍ର ସ୍ୱତଃପ୍ରବୃତ୍ତ ଭାବେ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି। ଆମେ ଦେଇଥିବା ସାହାଯ୍ୟର ସେମାନେ ପ୍ରତିଦାନ ଦେବାକୁ ଆଗ୍ରହ ପ୍ରକାଶ କରିଛନ୍ତି। ଆମେରିକାର ରାଷ୍ଟ୍ରପତି ଜୋ ବାଇଡ଼େନ ଭାରତକୁ ପର୍ଯ୍ୟାପ୍ତ ସହାୟତା ଯୋଗାଇ ଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି। ଯେତେ ଦୂର ସମ୍ଭବ ଶୁକ୍ରବାର ସୁଦ୍ଧା କିମ୍ବା ଦିନେ ଦୁଇଦିନ ମଧ୍ୟରେ ଆମେରିକାରୁ ତିନୋଟି ବିମାନରେ ସହାୟତା ଆସି ଭାରତରେ ପହଞ୍ôଚଯିବ। ସଂଯୁକ୍ତ ଆରବ ଏମିରେଟ୍ସରୁ ଭେଣ୍ଟିଲେଟର ଏବଂ ଫାବିପିରାଭିର୍ ଔଷଧ ଧରି ଏକ ପଣ୍ୟବାହୀ ବିମାନ ଗୁରୁବାର ରାତିରେ ଭାରତରେ ପହଞ୍ଚୁଛି ବୋଲି ସେ କହିଛନ୍ତି।
ବୈଦେଶିକ ସଚିବ ଶ୍ରୀଙ୍ଗଲା ଆହୁରି କହିଛନ୍ତି, ଆୟରଲାଣ୍ଡରୁ ୭୦୦ ଅକ୍ସିଜେନ କନସେନଟ୍ରେଟର୍ ଧରି ଏକ ବିମାନ ଭାରତରେ ପହଞ୍ôଚଛି। ଫ୍ରାନ୍ସରୁ ବିମାନ ଯୋଗେ ଶନିବାର ଦିନ କେତେକ ସହାୟତା ସାମଗ୍ରୀ ଭାରତରେ ପହଞ୍ôଚବ। ସହାୟତାର ହାତ ବଢ଼ାଇଥିବା ବିଶ୍ୱର ଏହି ୪୦ଟି ରାଷ୍ଟ୍ର ମଧ୍ୟରେ କେବଳ ବିକାଶଶୀଳ ରାଷ୍ଟ୍ର ନାହାନ୍ତି, ଆମର ପଡ଼ୋଶୀ ରାଷ୍ଟ୍ର ବାଂଲାଦେଶ, ମରିସସ୍ ଓ ଭୁଟ୍ଟାନ ମଧ୍ୟ ସାହାଯ୍ୟ ଯୋଗାଇ ଦେବାକୁ ଆଗେଇ ଆସିଛନ୍ତି।