ଆଜି ଟିଏମସିରେ ସାମିଲ ହେବେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ପୁଅ ଅଭିଜିତ

ନୂଆଦିଲ୍ଲୀ,ଏଜେନ୍ସି: ପୂର୍ବ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ପୁଅ ଅଭିଜିତ ମୁଖାର୍ଜୀ କଂଗ୍ରେସ ହାତ ଛାଡ଼ି ମମତା ବାନାର୍ଜୀଙ୍କ ଦଳ ତୃଣମୂଳ କଂଗ୍ରେସରେ ସାମିଲ ହେବାକୁ ଯାଉଛନ୍ତି। କଂଗ୍ରେସର ପୂର୍ବ ସାଂସଦ ଅଭିଜିତ ମୁଖାର୍ଜୀ ଟିଏମସିର ମୁଖ୍ୟ ନେତାଙ୍କ ସହିତ ଗତ କିଛିଦିନ ହେବ ସମ୍ପର୍କରେ ଥିଲେ।

ନିକଟରେ ଅଭିଜିତ ମୁଖାର୍ଜୀ କୋଲକାତାରେ ହୋଇଥିବା ନକଲି ଟିକାକରଣ ଘଟଣାରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ସମର୍ଥନ କରିଥିଲେ। ଏନେଇ ଶ୍ରୀ ମୁଖାର୍ଜୀ ଟୁଇଟ କରି ଲେଖିଛନ୍ତି ଯେ, ଯଦି ଏହି ନକଲି ଟିକାକରଣକୁ ନେଇ ମମତା ବାନାର୍ଜୀଙ୍କୁ ଦୋଷୀ ଘେଷଣା କରାଯାଉଛି ତେବେ ନିରବ ମୋଦୀ, ବିଜୟ ମାଲ୍ୟା ଓ ମେହୁଲ ଚୋକସିଙ୍କ ଦ୍ୱାରା ହୋଇଥିବା ଘୋଟାଲ ପାଇଁ ମୋଦୀଙ୍କୁ ଦୋଷୀ ବିବେଚନା କରାଯିବ। ତେଣୁ ନକଲି ଟିକାକରଣ ଘଟଣାରେ ମମତା ବାନାର୍ଜୀଙ୍କୁ ଦୋଷୀ କହିବା ଭୁଲ ଅଟେ। ଅଭିଜିତଙ୍କ ଏହି ବୟାନକୁ ପଶ୍ଚିମବଙ୍ଗ କଂଗ୍ରେସ ବିରୋଧ କରୁଥିବା ବେଳେ ଏନେଇ ଦଳ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା। ଫଳରେ ଅଭିଜିତ ଟିଏମସିରେ ସାମିଲ ହେବା ନେଇ ନିଷ୍ପତ୍ତି ନେଇଛନ୍ତି।