ରାଜ୍ୟସଭାକୁ ନିର୍ବାଚିତ ହେଲେ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ

କର୍ଣ୍ଣାଟକ,ଏଜେନ୍ସି: ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଜେଡିଏସ୍‌ ସୁପ୍ରିମୋ ଏଚଡି ଦେବେଗୌଡ଼ା ଏବଂ ବରିଷ୍ଠ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡ୍ଗେ ନିର୍ଦ୍ୱନ୍ଦ୍ୱରେ ରାଜ୍ୟ ସଭାକୁ ନିର୍ବାଚିତ ହୋଇଛନ୍ତି। ସେହିପରି ଶାସକ ଦଳ ବିଜେପିରୁ ୨ଜଣ ତୃଣମୂଳ ସ୍ତରର ନେତା ଅଶୋକ ଗସ୍ତି ଏବଂ ଇରାନ୍ନା କଡାଡି ମଧ୍ୟ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଥିବା ଶୁକ୍ରବାର ନିର୍ବାଚନ କମିଶନଙ୍କ ପକ୍ଷରୁ ଘୋଷଣା କରାଯାଇଛି।

ସୂଚନା ଅନୁସାରେ ଜୁନ୍‌ ୨୫ରେ ଜେଡିଏସର କୁପନ୍ଦ୍ରେ ରେଡ୍ଡୀ, କଂଗ୍ରେସର ବିକେ ହରିପ୍ରସାଦ, ରାଜୀବ ଗୌଡ଼ା ଏବଂ ବିଜେପିର ପ୍ରଭାକର କୋରେଙ୍କ କାର୍ଯ୍ୟକାଳ ପୂରଣ ହେଉଛି। ଫଳରେ ସେମାନଙ୍କ ସ୍ଥାନରେ ପ୍ରତିନିଧିତ୍ୱ କରିବା ପାଇଁ ଉପରୋକ୍ତ ନେତାଙ୍କୁ ଚୟନ କରାଯାଇଛି। ୧୯ ତାରିଖରେ ରାଜ୍ୟସଭା ନିର୍ବାଚନ ଥିବାବେଳେ ଶୁକ୍ରବାର ପ୍ରାର୍ଥପତ୍ର ପ୍ରତ୍ୟାହାରର ଶେଷ ଦିନ ଥିଲା। ସମୟସୀମା ଶେଷ ହେବା ପରେ ଅନ୍ୟ କେହି ପ୍ରତିଦ୍ୱନ୍ଦ୍ୱୀ ନଥିବାରୁ ଦେବେଗୌଡା, ଖାର୍ଗେ, ଗସ୍ତି ଓ କଡାଡ଼ି ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ ବୋଲି ରିଟର୍ଣ୍ଣିଂ ଅଫିସର ଏମକେ ବିଶାଳାକ୍ଷୀ ଘୋଷଣା କରିଥିଲେ। ଜେଡିଏସର ୩୪ ବିଧାୟକ ଥିବାବେଳେ କଂଗ୍ରେସ ସମର୍ଥନରେ ଦେବେଗୌଡ଼ା ରାଜ୍ୟ ସଭାକୁ ନିର୍ବାଚିତ ହୋଇଛନ୍ତି।