ଦେବଗଡ଼,ଏନ୍ଏନ୍ଏସ୍: ଦେବଗଡ଼ ଜିଲ୍ଲାର ବିଭିନ୍ନ ବ୍ଲକରେ ସ୍ୱଳ୍ପ ବୃଷ୍ଟିପାତ ଯୋଗୁଁ ଚାଷ ଜମି ଫାଟି ଆଁ କରିଛି। ଚାଷୀ ଆସନ୍ନ ମରୁଡି ପରିସ୍ଥିତି ଯୋଗୁଁ ହତାଶ ହୋଇ ପଡିଛନ୍ତି। ଏଭଳି ପରିସ୍ଥିତିରେ ଆଜି ଦେବଗଡ଼ ଜିଲ୍ଲା କଂଗ୍ରେସ କମିଟି ସଭାପତି ଉମାଶଙ୍କର ସାହୁଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ତିଳେଇବଣି ବ୍ଲକ ଢୋଲପଦା, କଂସର ଓ ଦୁଧିଆନାଲି ପଞ୍ଚାୟତର ବିଭିନ୍ନ ଗ୍ରାମକୁ ଯାଇ ଚାଷୀ ଓ ଚାଷର ବାସ୍ତବ ସ୍ଥିତି ଅନୁଧ୍ୟାନ କରିଥିଲେ।
ସେହିପରି ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳ ଗୋହିରା ଡ୍ୟାମ ପରିଦର୍ଶନ କରି ଡ୍ୟାମର ଚିତ୍ର ହିଁ ଦେବଗଡ଼ ଜିଲ୍ଲାର ମରୁଡି ପରିସ୍ଥିତିକୁ ବୟାନ କରୁଥିବା ପ୍ରକାଶ କରିବା ସହ ରାଜ୍ୟ ସରକାର ଅବିଳମ୍ବେ ଜିଲ୍ଲାକୁ ମରୁଡି ଘୋଷଣା କରିବାକୁ ଦାବି କରିଥିଲେ। ଏହି ଅବସରରେ ଋଣ କରି ଚାଷ କାର୍ଯ୍ୟ ଆରମ୍ଭ କରିଥିବା ଚାଷୀଙ୍କ ଆଜି ଯାଏ ରୁଆ କାର୍ଯ୍ୟ ସରିନଥିବା ବେଳେ ଆଗକୁ ଚାଷ କାର୍ଯ୍ୟ ସମ୍ଭବ ନଥିବାରୁ ଚାଷୀ ଚଳିତ ଖରିଫରେ ମରୁଡିର ସାମ୍ନା କରିଛନ୍ତି। ଏନେଇ ରାଜ୍ୟ ସରକାର ଆଉ କାଳ ବିଳମ୍ବ ନକରି ଦେବଗଡ଼ ଜିଲ୍ଲାକୁ ମରୁଡି ଘୋଷଣା କରିବାକୁ ଜିଲ୍ଲା କଂଗ୍ରେସ ଦାବି କରିବା ସହ ହତାଶ ଚାଷୀଙ୍କୁ ସାନ୍ତ୍ୱନା ପ୍ରଦାନ କରିଥିଲେ।
ସେହିପରି ଦୁଧିଆନାଳୀ ପଞ୍ଚାୟତ ଅନ୍ତର୍ଗତ ଗୋହିରା ମଧ୍ୟମ ଜଳ ସେଚନ ପ୍ରକଳ୍ପର ଜଳ ଭଣ୍ଡାର ସ୍ୱଳ୍ପ ବୃଷ୍ଟିପାତ ଏବଂ ରକ୍ଷଣାବେକ୍ଷଣ ଅଭାବରୁ ଜଳ ଶୂନ୍ୟ ହୋଇ ପଡ଼ିଥିବାରୁ ଏହି ଜଳ ଭଣ୍ଡାର ଉପରେ ନିର୍ଭର କରୁଥିବା ୧୯ଟି ପାଣି ପଞ୍ଚାୟତ ଅନ୍ତର୍ଗତ ୮୮ଟି ଗ୍ରାମର ସହ ସହ ହେକ୍ଟର ଚାଷ ଜମିକୁ କେନାଲ ପାଣି ପହଞ୍ଚି ନପାରି ଚାଷ କାର୍ଯ୍ୟ ପ୍ରଭାବିତ ହୋଇ ପଡିଥିବା ଦେଖିବାକୁ ମିଳିଛି। ଏହି ପରିଦର୍ଶନ ସମୟରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା କଂଗ୍ରେସ ଉପସଭାପତି ସଚ୍ଚିଦାନନ୍ଦ ପଟ୍ଟନାୟକ, ସମ୍ପାଦକ ବିନୋଦ ବିହାରୀ ନାଏକ, ନଗର ସଭାପତି ପ୍ରକାଶ ଚନ୍ଦ୍ର ଦେବତା, ଏସସି ସେଲ ସଭାପତି କ୍ଷେତ୍ର କୁମାର ପାତ୍ର, ସୁଶୀଲ କୁମାର ନାଏକ, ଦୀପକ କୁମାର ଦାଶଙ୍କ ସମେତ ବହୁ ଦଳୀୟ ପଦାଧିକାରୀ ଓ ଚାଷୀ ଉପସ୍ଥିତ ଥିଲେ।