ଥିରୁଅନନ୍ତପୁରମ,ଏଜେନ୍ସି: ଦେଶରେ ପାଳି କରି ଜାରି ରହିଛି କରୋନା କୋପ। ଏହାରି ଭିତରେ ଅନେକ ଭୂତାଣୁର ଭୟ ମଧ୍ୟ ଦେଖିବାକୁ ମିଳିଛି। କେରଳ କୋଝିକୋଡରେ ଜଣେ ୧୨ ବର୍ଷର ନାବାଳକ ନିପା ଭୂତାଣୁରେ ସଂକ୍ରମିତ ହୋଇ ମୃତ୍ୟୁ ହୋଇଥିବା ଜଣାପଡିଛି।
ସୂଚନା ଅନୁସାରେ, ନିପା ଭୂତାଣୁର ସମସ୍ତ ଲକ୍ଷଣ ଏହି ବାଳକଠାରେ ଦେଖିବାକୁ ମିଳିଥିଲା। ଏହା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଶନିବାର ରାତିରେ ନାବାଳକର ଅବସ୍ଥା ଗୁରୁତର ହୋଇଥିଲା। ଆଜି ସକାଳ ୫ଟାରେ ଚିକିତ୍ସିତ ଅବସ୍ଥାରେ ନାବାଳକର ମୃତ୍ୟୁ ହୋଇଛି। ପୁଣେ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ଭିରୋଲୋଜି ନାବାଳକର ନମୁନା ପରୀକ୍ଷା କରିବା ପରେ ନିପା ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଥିବା ନିଶ୍ଚିତ କରିଛି। ନାବାଳକର ସଂସ୍ପର୍ଶରେ ଆସିଥିବା ସମସ୍ତଙ୍କୁ ଆଇସୋଲେସନରେ ରଖାଯାଇଥିବା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ବିଣା ଗର୍ଗ।
ସେ ଆହୁରି କହିଛନ୍ତି ଯେ, ଭୟଭୀତ ହେବାର ଆବଶ୍ୟକ ନାହିଁ। ଅଧିକରୁ ଅଧିକ ସଚେତନ ହେବାକୁ ପଡିବ। ମୃତ ନାବାଳକଙ୍କ ପରିବାରର ଅନ୍ୟ କେହି ସଂକ୍ରମିତ ହୋଇନାହାନ୍ତି। ପ୍ରକାଶ ଥାଉକି, ନିପା ଭୂତାଣୁ କୋପ ନେଇ ଗତକାଲି କେରଳରେ ସ୍ୱାସ୍ଥ୍ୟ ବିଭାଗରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା। ଆଜି କୋଝିକୋଡ ଗସ୍ତ କରିବେ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ। ପ୍ରଥମ ନିପା ଭାଇରସ ସାଉଥ ଇଣ୍ଡିଆ ଖୋଜିଖୋଟ ଜିଲ୍ଲାରେ ୨୦୧୮ ମେ’ ୧୯ରେ ଚିହ୍ନଟ ହୋଇଥିଲା। ୨୦୧୮ ଜୁନ ୧ ତାରିଖ ସୁଦ୍ଧା ନିପା ଭାଇରସରେ ୧୭ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୮ଜଣ ସଂକ୍ରମିତ ହୋଇଥିବା ରିପୋର୍ଟ ମିଳିଛି।