ଝାରସୁଗୁଡ଼ା,ଏନ୍ଏନ୍ଏସ୍: ସମ୍ବଲପୁର ବିଶ୍ୱବିଦ୍ୟାଳୟର ଅବସରପ୍ରାପ୍ତ କୁଳପତି ପ୍ରଫେସର ଧ୍ରୁବରାଜ ନାୟକଙ୍କ ହତ୍ୟାକାରୀ ପ୍ରବୀଣ ଧୁରୁଆକୁ ଝାରସୁଗୁଡ଼ା ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ପ୍ରବୀଣ କୁଳପତିଙ୍କ ଘରକୁ ଯାଇ ୧୦୦ ଟଙ୍କା ମାଗି ଯୁକ୍ତି ତର୍କ କରି କୁଳପତିଙ୍କୁ ହତ୍ୟା କରିବା ଏକ ବାହାନା ଥିଲା। ପ୍ରକୃତରେ ଧ୍ରୁବରାଜଙ୍କ ମାଛ ପୋଖରୀ ଲିଜକୁ ନେଇ ଦୁର୍ବୁତ ପ୍ରବୀଣ ଏହି ହତ୍ୟାକାଣ୍ଡ ଭିଆଇଥିବା ଝାରସୁଗୁଡ଼ା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବିକାଶ ଚନ୍ଦ୍ର ଦାସ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ସୂଚନାନୁଯାୟୀ, ଧ୍ରୁବରାଜ ଗତ ୩ବର୍ଷ ତଳେ ଅଞ୍ଜନ କୁମାର ବାଗଙ୍କୁ ନିଜ ୨ଟି ପୋଖରୀ ଲିଜ ଆକାରରେ ପ୍ରଦାନ କରିଥିଲେ। ହେଲେ ଅଭିଯୁକ୍ତ ପ୍ରବୀଣ ଏବଂ କିଛି ଲୋକ ସେହି ପୋଖରୀରୁ ମାଛ ଚୋରୀ କରୁଥିଲେ। ଗତ ୨ ତାରିଖ ପ୍ରବୀଣ ଏବଂ ତା’ର ୨ଜଣ ସହଯୋଗୀ ପୋଖରୀ ଜଗୁଆଳିଙ୍କ ସହ ମାରପିଟ କରିଥିଲେ। ଏନେଇ ଜଗୁଆଳି ଅଞ୍ଜନ ଅଭିଯୋଗ କରିବା ପରେ ଲଇକେରା ପୁଲିସ ଅଭିଯୁକ୍ତ ପ୍ରବୀଣ ଏବଂ ତା’ର ସହଯୋଗୀକୁ ଗିରଫ କରିଥିଲା। ଫଳରେ ନିଜର ଗିରଫ ପାଇଁ ଅଭିଯୁକ୍ତ ପ୍ରବୀଣ ପ୍ରଫେସର ଧ୍ରୁବରାଜଙ୍କୁ ଦାୟୀ କରିଥିଲା। ଏଥିସହିତ ପ୍ରଫେସରଙ୍କଠାରୁ ପ୍ରତିଶୋଧ ନେବା ପାଇଁ ଟଙ୍କା ମାଗିବା ଆଳରେ ଗତକାଲି ପୂର୍ବାହ୍ନ ପ୍ରାୟ ୧୧ଟାରେ ଏକ କୁରାଢ଼ୀ ଧରି ପ୍ରବୀଣ ତାଙ୍କ ଘରକୁ ଯାଇଥିଲା। ସେସମୟରେ ପ୍ରଫେସର ଧ୍ରୁବରାଜ ଘରେ ନଥିବାରୁ ପ୍ରବୀଣ ତାଙ୍କ ଶୋଇବା ଘର ପର୍ଯ୍ୟନ୍ତ ପସି ଯାଇଥିଲା। ପରେ ପ୍ରଫେସର ଆସି ପ୍ରବୀଣକୁ ଘର ବାହାରକୁ ଯିବା ପାଇଁ କହିଥିଲେ। ପ୍ରବୀଣ ଘର ଗେଟ ବାହାରକୁ ଯିବା ପରେ ପ୍ରଫେସର ମଧ୍ୟ ବାହାରକୁ ଯାଇ ନିଜ ଭଣଜାକୁ ଏବାବଦରେ ଜଣାଇବା ପାଇଁ ଫୋନ କରିଥିଲେ। ଏହି ସମୟରେ ଅଭିଯୁକ୍ତ ପ୍ରବୀଣ ପ୍ରଫେସରଙ୍କ ବେକକୁ କୁରାଢ଼ୀରେ ଆକ୍ରମଣ କରିଥିଲା। ଫଳରେ ସେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ତଳେ ପଡ଼ି ଯାଇଥିଲେ। ପରେ ଝିଅ ତଥା ପରିବାର ଲୋକେ ଏବଂ ଗ୍ରାମବାସୀ ପ୍ରବୀଣଙ୍କୁ ଉଦ୍ଧାର କରି ଝାରସୁଗୁଡ଼ାର ଏକ ଘରୋଇ ଡାକ୍ତରଖାନାକୁ ଆଣିଥିଲେ ହେଁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟପଟେ ପ୍ରଫେସରଙ୍କୁ ଆକ୍ରମଣ କରି ଫେରାର ଥିବା ଅଭିଯୁକ୍ତ ପ୍ରବୀଣକୁ ଗ୍ରାମବାସୀ ଓ ଜଙ୍ଗଲସାଥୀଙ୍କ ସହାୟତାରେ ପୁଲିସ ଜଙ୍ଗଲରୁ ଗିରଫ କରିବାରେ ସଫଳ ହୋଇଛି।