ପୂର୍ବତନ ଟିଡିସିସି ଅଧ୍ୟକ୍ଷ ନିଳାଦ୍ରୀ ଜାନିଙ୍କ ପରଲୋକ

ଫୁଲବାଣୀ,ଖଜୁରିପଡ଼ା,ଏନ୍ଏନ୍ଏସ୍:ବର୍ଷିୟାନ ରାଜନେତା ତଥା ଟିଡିସିସିର ପୂର୍ବତନ ଅଧ୍ୟକ୍ଷ  ନିଳାଦ୍ରୀ ଜାନିଙ୍କର ଆଜି ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୧୦୩ ବର୍ଷ ବୟସ ହୋଇଥିଲା। ଆଜି ଭୋର ୫ଟା ବେଳେ ତାଙ୍କ ନିଜ ଗ୍ରାମ ଖଜୁରିପଡା ବ୍ଲକ ଦଳପଡା ବାସଭବନରେ ଦେହାନ୍ତ ହୋଇଥିଲା। ନିଳାଦ୍ରୀଙ୍କ ଶେଷ ଦର୍ଶନ କରିବାକୁ ବିଜେପିର ପୂର୍ବତନ ଜିଲ୍ଲା ସଭାପତି ଲିଙ୍ଗରାଜ ଦଳବେହେରା, ସାଧାରଣ ସମ୍ପାଦକ ଭଗବାନ ମହାନ୍ତି, ବିଜେପି ଜାତୀୟ କାର୍ଯ୍ୟକାରୀ ସଦସ୍ୟ ତଥା ବରିଷ୍ଠ ନେତା କମଳାକାନ୍ତ ପାଣ୍ଡେ, ପୂର୍ବତନ ଖଜୁରିପଡ଼ା ବ୍ଲକ ସଭାପତି ଅନନ୍ତ ଦିଗାଲ, ସରପଞ୍ଚ ରଞ୍ଜନ କହଁରଙ୍କ ସମେତ ଜିଲ୍ଲାର ବିଭିନ୍ନ ଅଞ୍ଚଳ ତଥା ଜିଲ୍ଲା ବାହାରୁ ଅନେକ ନେତା ଓ କର୍ମୀ ତାଙ୍କ ଗ୍ରାମରେ ପହଞ୍ଚିଥିଲେ। ଗ୍ରାମରେ ତାଙ୍କର ଅନ୍ତିମ ସତ୍କାର ହୋଇଥିଲା। ସ୍ୱର୍ଗତ ଜାନି ତାଙ୍କ ରାଜନୈତିକ ଜୀବନ ସରପଞ୍ଚରୁ ଆରମ୍ଭ କରିଥିଲେ। ସେ ଦଳରେ ରହି ଅବିଭକ୍ତ ଫୁଲବାଣୀ ଜିଲ୍ଲାର ସଭାପତି ଭାବେ ଦୁଇ ଥର ଦାୟିତ୍ୱ ତୁଲାଇଥିଲେ। ଏଥି ସହ ୨୦୦୪ରେ ସେ ରାଜ୍ୟ ଟିଡିସିସିର ଅଧ୍ୟକ୍ଷ ମଧ୍ୟ ହୋଇଥିଲେ। ତାଙ୍କ ବିୟୋଗରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ରାଜ୍ୟ ସଭାପତି ସମିର ମହାନ୍ତି, ରାଜ୍ୟ ପ୍ରବକ୍ତା ତଥା ଜିଲ୍ଲା ପ୍ରଭାରୀ ବିରଞ୍ଚି ନାରାୟଣ ତ୍ରିପାଠୀ ପ୍ରମୁଖ ଟୁଇଟ୍ କରି ଶୋକ ପ୍ରକାଶ କରିଛନ୍ତି।