ପ୍ରଭୁ ଶ୍ରୀରାମଙ୍କ ନାମରେ ନାମିତ ହେବ ଅଯୋଧ୍ୟା ଏୟାରପୋର୍ଟ

ଅଯୋଧ୍ୟା,ଏଜେନ୍ସି: ଭଗବାନ ଶ୍ରୀରାମଙ୍କ ଜନ୍ମସ୍ଥଳୀ ଅଯୋଧ୍ୟାରେ ହେବାକୁ ଥିବା ଏୟାରପୋର୍ଟକୁ ପ୍ରଭୁ ଶ୍ରୀରାମଙ୍କ ନାମରେ ନାମିତ କରାଯିବ। ୨୦୨୧ ଡିସେମ୍ବର ମାସ ସୁଦ୍ଧା ଏହି ଏୟାରପୋର୍ଟ ନିର୍ମାଣ କାର୍ଯ୍ୟ ଶେଷ କରାଯିବାକୁ ଧାର୍ଯ୍ୟ କରାଯାଇଛି। ଏହି ଏୟାରପୋର୍ଟ ଉତ୍ତରପ୍ରଦେଶର ପଞ୍ଚମ ଅନ୍ତର୍ଜାତୀୟ ଏୟାରପୋର୍ଟ ଭାବେ ମାନ୍ୟତା ପାଇବ। ଅଯୋଧ୍ୟାରେ ରାମମନ୍ଦିର ତିଆରି ପରେ ସେଠାକୁ ଅନେକ ଶ୍ରଦ୍ଧାଳୁଙ୍କ ଆଗମନ ଜାରି ରହିବ। ଏହାକୁ ନଜରରେ ରଖି ଏୟାରପୋର୍ଟର ପରୀସୀମାକୁ ବୃଦ୍ଧି କରାଯାଇଛି। ପୂର୍ବରୁ ୨୦୧୭ରେ ଏୟାରପୋର୍ଟ ରନୱେର ଲମ୍ବ ୨ହଜାର ୩୦୦ କରିବାକୁ ପ୍ରସ୍ତାବ ରଖାଯାଇଥିଲା। ତେବେ ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ଏୟାରପୋର୍ଟକୁ ବୋଇଂ-୭୭୭ ବିମାନ ପାଇଁ ଯୋଗ୍ୟ ବନାଇବାକୁ ଏବଂ ଏୟାରପୋର୍ଟର ନାମକୁ ପ୍ରଭୁ ଶ୍ରୀରାମଙ୍କ ନାମରେ ନାମିତ କରିବାକୁ ଘୋଷଣା କରିଛନ୍ତି। ଏହି ଏୟାରପୋର୍ଟ ନିର୍ମାଣ ପାଇଁ ସର୍ବମୋଟ୍ ୬୦୦ଏକର ଜମିର ଆବଶ୍ୟକତା ରହିଛି। ଏୟାରପୋର୍ଟର ରନୱେର ଲମ୍ବ ୩ହଜାର ୭୫୦ମିଟର ହେବା ସହ ଚଉଡା ୪୫ମିଟର ହେବ ବୋଲି ଅଧିକାରିକ ସୂତ୍ରରୁ ସୂଚନା ଦିଆଯାଇଛି।