ପୋଖରୀ ଖୋଳା ନାଁରେ ଟଙ୍କା ଆତ୍ମସାତ୍ କରୁଥିଲେ, ଶେଷରେ ନିଲମ୍ବିତ ହେଲେ ଫରେଷ୍ଟର

ନବରଙ୍ଗପୁର,ଏନ୍ଏନ୍ଏସ୍: ରାଜ୍ୟରେ ସରକାରୀ ବାବୁ ମାନଙ୍କ ଟଙ୍କା ଆତ୍ମସାତ୍ କରିବାର ଖବର ନୂଆ ନୁହେଁ। ପ୍ରତିଦିନ କିଛି ନି କିଛି ଅଭିଯୋଗରେ କାହା ଘରେ ଭିଜିଲାନ୍ସ ଚଢଉ ହେଉଛି ତ ଆଉ କେଉଁ ବଡ଼ ବାବୁଙ୍କୁ ନିଲମ୍ବିତ କରାଯାଉଛି।

ସରକାରୀ ଟଙ୍କା ଆତ୍ମସାତ୍ କରୁଥିବା ଅଭିଯୋଗରେ ଜଣେ ସରକାରୀ ବାବୁଙ୍କ ନିଲମ୍ବିତ କରାଯାଇଛି। ପୋଖରୀ ଖୋଳା ନାଁରେ ଲକ୍ଷ ଲକ୍ଷ ଟଙ୍କା ହେରଫେର ଅଭିଯୋଗରେ ନବରଙ୍ଗପୁର ଜିଲ୍ଲା କୋଡିଙ୍ଗା ବନାଞ୍ଚଳ ରେଞ୍ଜ ଫରେଷ୍ଟର ରାମଚନ୍ଦ୍ର ଜାନିଙ୍କୁ ନିଲମ୍ବନ କରାଯାଇଛି।

ସୂଚନା ଅନୁସାରେ ଡାବୁଗାଁ ବନାଞ୍ଚଳ ଅଧୀନ ହାତୀବେଡ଼ା ପଞ୍ଚାୟତର ବଡପାଂଜରିଆଗୁଡା ଗାଁରେ ପୋଖରୀ ଖୋଳା ନାଁରେ ସେ ୧ ଲକ୍ଷ ୬ ହଜାର ୮୧୨ ଟଙ୍କା ଆତ୍ମସାତ କରିଥିବା ଅଭିଯୋଗ ହୋଇଥିଲା। ତେବେ ଏହା ବାବଦରେ ଅଭିଯୋଗ ଆସିବା ପରେ ଘଟଣାର ଅଡିଟ୍ କରାଯାଇ ସତ ପଦାକୁ ଅଣାଯାଇଛି ଏବଂ ଆଜି ଫରେଷ୍ଟର ରାମଚନ୍ଦ୍ର ଜାନିଙ୍କୁ ନିଲମ୍ବନ କରାଯାଇଛି।