ଅଷ୍ଟମ ଥର ପାଇଁ ୟୁଏନ୍‌ଏସ୍‌ସି ସଦସ୍ୟ ହେଲା ଭାରତ

ନୂଆଦିଲ୍ଲୀ,ଏଜେନ୍ସି: ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦ(ୟୁଏନ୍‌ଏସ୍‌ସି)ର ଅସ୍ଥାୟୀ ସଦସ୍ୟ ଭାବେ ଭାରତ ୮ମ ଥର ପାଇଁ ନିର୍ବାଚିତ ହୋଇଛି। ବିନା କୌଣସି ବିରୋଧରେ ନିର୍ବାଚିତ ହେବା ସହ ଭାରତ ୨୦୨୧-୨୨ କାର୍ଯ୍ୟକାଳ ପାଇଁ ନିର୍ବାଚିତ ହୋଇଛି।

ସୂଚନା ଅନୁସାରେ ୧୯୩ ଜଣିଆ ସଦସ୍ୟଯୁକ୍ତ ସଂଯୁକ୍ତ ରାଷ୍ଟ୍ର ମହାସଭା ନିଜର ୭୫ତମ ଅଧିବେଶନ ପାଇଁ ଅଧ୍ୟକ୍ଷ, ସୁରକ୍ଷା ପରିଷଦର ଅସ୍ଥାୟୀ ସଦସ୍ୟ ଓ ଆର୍ଥିକ ଏବଂ ସାମାଜିକ ପରିଷଦର ସଦସ୍ୟମାନଙ୍କ ପାଇଁ ନିର୍ବାଚନ କରାଇଥିଲା। ଏଥିରେ ଭାରତ ସହିତ ଆୟରଲ୍ୟାଣ୍ଡ, ମେକ୍ସିକୋ ଓ ନରୱେ ନିର୍ବାଚିତ ହୋଇଛନ୍ତି।

ଏହି ନିର୍ବାଚନ ରିପୋର୍ଟ ଆସିବା ପରେ ସଂଯୁକ୍ତ ରାଷ୍ଟ୍ରରେ ଭାରତର ପ୍ରତିନିଧି ଟିଏସ ତିରୁମୂର୍ତ୍ତି କହିଛନ୍ତି, ଭାରତ ନେତୃତ୍ୱ ଜାରି ରଖିବ ଏବଂ ଏକ ଭଲ ବହୁପକ୍ଷିୟ ବ୍ୟବସ୍ଥାକୁ ନୂତନ ବାଟ ଦେଖାଇବ। ଏଥିସହିତ ଏହି ନିର୍ବାଚନରେ ଭାରତକୁ ୧୯୨ ବେଲ୍ଟ ଭୋଟରୁ ୧୮୪ ଭୋଟ ମିଳିଛି। ତିରୁମୂର୍ତ୍ତି କହିଛନ୍ତି, ମୁଁ ବହୁତ ଖୁସି ଅନୁଭବ କରୁଛି ଯେ, ଭାରତକୁ ବର୍ଷ ୨୦୨୧-୨୨ ପାଇଁ ୟୁଏନଏସସିର ଅସ୍ଥାୟୀ ସଦସ୍ୟ ଭାବେ ଚୟନ କରାଯାଇଛି। ଆମକୁ ବିପୁଳ ସମର୍ଥନ ମିଳିଛି ଏବଂ ଯୁକ୍ତରାଷ୍ଟର ସଦସ୍ୟମାନେ ଆମ ଉପରେ ଭରସା କରିଛନ୍ତି।

ସେହିପରି ଭାରତ ବିନା କୌଣସି ବିରୋଧରେ ୟୁଏନ୍‌ଏସ୍‌ସିକୁ ନିର୍ବାଚିତ ହୋଇଥିବାରୁ ଯୁକ୍ତ ରାଷ୍ଟ୍ର ଆମେରିକା ସ୍ୱାଗତ ଜଣାଇଛି।