ପୋଲେରୁ ପୋଲ ନିର୍ମାଣ ପାଇଁ ଜିଲ୍ଲାପାଳଙ୍କ ଦ୍ୱାରା ଭିତ୍ତିପ୍ରସ୍ତର ସ୍ଥାପନ

ମାଲକାନଗିରି,ଏନ୍ଏନ୍ଏସ୍: ଆନ୍ଧ୍ର-ଓଡ଼ିଶା ସୀମାନ୍ତରେ ଥିବା ସିଲେରୁ ନଦୀ ଉପରେ ଉଚ୍ଚସ୍ତରୀୟ ପୋଲ ନିର୍ମାଣ ହେବ। ବହୁ ବର୍ଷ ଧରି ଏହି ପୋଲ ନିର୍ମାଣ ପାଇଁ ଦାବି ହୋଇ ଆସୁଥିବା ବେଳେ ଅଞ୍ଚଳବାସୀଙ୍କ ସ୍ୱପ୍ନ ପୂରଣ ହେବାକୁ ଯାଉଛି। ମାଲକାନଗିରି ଜିଲ୍ଲାର କାଲିମେଳା ବ୍ଲକ ଅନ୍ତର୍ଗତ ମାନ୍ୟମକୋଣ୍ଡା ପଞ୍ଚାୟତର ଶେଷ ସୀମାନ୍ତ ପୋଲେରୁ ନଦୀଘାଟ ଦେଇ ଯାଇଥିବା ସିଲେରୁ ନଦୀ ଉପରେ ଓଡ଼ିଶା ସରକାରଙ୍କ ତରଫରୁ ପ୍ରାୟ ସାଢ଼େ ୮ କୋଟିରୁ ଉର୍ଦ୍ଧ୍ୱ ଟଙ୍କାରେ ହେବାକୁ ଥିବା ଏହି ଉଚ୍ଚ କ୍ଷମତା ବିଶିଷ୍ଟ ପୋଲର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି। ମାଲକାନଗିରି ଜିଲ୍ଲାପାଳ ଡା. ୱାଇ. ବିଜୟ ଏହି ପୋଲର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ପ୍ରାୟ ୧୯୩.୬ ମିଟର ଏହି ପୋଲ ପାଇଁ ମୋଟ ୮କୋଟି ୫୭ ଲକ୍ଷ ୫୦ ହଜାର ୯୫୩ ଟଙ୍କା ଖର୍ଚ୍ଚ ହେବାକୁ ଥିବାବେଳେ ଆସନ୍ତା ୨୦୨୨ ମସିହା ମାର୍ଚ୍ଚ ୧ ତାରିଖ ସୁଦ୍ଧା ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ତେବେ ଏହି ପୋଲ ନିର୍ମାଣ ପାଇଁ ରାଜ୍ୟ ସରକାରଙ୍କ ତରଫରୁ ସମସ୍ତ କାଗଜପତ୍ର କାର୍ଯ୍ୟ ସମାପ୍ତ ହୋଇସାରିଥିବା ବେଳେ ଆନ୍ଧ୍ର ସରକାରଙ୍କ ଜଙ୍ଗଲ ବିଭାଗ ପକ୍ଷରୁ ଏନଓସି ହୋଇନାହିଁ। ଏହାକୁ ଯଥାଶୀଘ୍ର କରିବା ପାଇଁ ଆନ୍ଧ୍ର ସରକାରଙ୍କୁ ପତ୍ର ଲେଖିବା ପାଇଁ ଜିଲ୍ଲାପାଳଙ୍କୁ ଅନୁରୋଧ କରାଯାଇଛି। ଜିଲ୍ଲାପାଳ ପୋଲରୁ ନଦୀଘାଟରେ ପହଞ୍ଚି ବିଭିନ୍ନ ଅଞ୍ଚଳ ବୁଲି ଦେଖିବା ସହ ବୋଟ ସାହଯ୍ୟରେ ଆନ୍ଧ୍ର ପଟକୁ ଯାଇ ସେଠାରେ ଜନସାଧାରଣଙ୍କ ସହ ଆଲୋଚନା କରିଥିଲେ। ତେବେ ଏହି ପୋଲ ନିର୍ମାଣ ହେଲେ ଉଭୟ ରାଜ୍ୟର ସୀମାନ୍ତବର୍ତ୍ତୀ ଜିଲ୍ଲାବାସୀ ଉପକୃତ ହୋଇପାରିବେ ବୋଲି ଅଞ୍ଚଳବାସୀମାନେ ପ୍ରକାଶ କରିଛନ୍ତ। ଏହି ସମୟରେ ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ଆଦିତ୍ୟ ମାଢ଼ି, ଜିଲ୍ଲା ସ୍ୱତନ୍ତ୍ର ବିକାଶ ପରିଷଦ ଅଧ୍ୟକ୍ଷ ମାନସ ମାଡ଼କାମି, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦଶରଥ ପଡ଼ିଆମି, କାଲିମେଳା ବ୍ଲକ ଅଧ୍ୟକ୍ଷ ମାଲା ମାଢ଼ି, ପଡ଼ିଆ ବ୍ଲକ ଅଧ୍ୟକ୍ଷ ଦେବା ମାଡ଼କାମି, ମାଲାକନଗିରି ତହସିଲଦାର ଡା. ଗୁଣନିଧି ନାୟକ, କାଲିମେଳା ବିଡିଓ ଉମାଶଙ୍କର ଦଳାଇ, ତହସିଲଦାର ଆଲୋକ କୁମାର ଅନୁଗୁଳିଆ, ଅତିରିକ୍ତ ଏସପି ଉଦ୍ଧବ ଚରଣ ନାୟକ ଓ ଏସଡିପିଓ ଅଂଶୁମାନ ଦିବ୍ୱେଦୀ ପ୍ରମୁଖ ଉପସ୍ଥିତ ରହିଥିଲେ।