କ୍ଷତିପୂରଣ ଦାବୀରେ ମୃତଦେହ ରଖି ରାସ୍ତାରୋକ

ପାଟଣାଗଡ଼,ଏନ୍‌ଏନ୍‌ଏସ୍‌: ଆନ୍ଧ୍ରପ୍ରଦେଶର ବିଜୟୱାଡା ଜିଲ୍ଲାର କୁନୁକୁପଡ଼ାରେ ଥିବା କାଲାମ ଟେକ୍ସଟାଇଲ ମିଲକୁ କାମ କରିବାକୁ ଯାଇ ମେସିନରେ ପଡ଼ି ପାଟଣାଗଡ଼ ବ୍ଲକ ଅନ୍ତର୍ଗତ ବରପଦର ଗ୍ରାମର ଜଣଙ୍କର ମୃତ୍ୟୁ ଘଟିଥିଲା । ମୃତକ ଜଣକ ହେଲେ ମୁରଲୀ କୁମ୍ଭାର (୫୨) । ଆଜି ମୁରଲୀଙ୍କ ମୃତଦେହ ଗାଁରେ ପହଞ୍ଚିବା ପରେ ପରିବାର ଲୋକଙ୍କ ସହ କିଛି ସମ୍ପର୍କୀୟ ବରପଦର ରାସ୍ତାରେ ମୃତଦେହ ରଖି କ୍ଷତିପୂରଣ ଦାବୀରେ ପାଟଣାଗଡ଼-ଲରମ୍ଭା ରାସ୍ତା ଅବରୋଧ କରିଥିଲେ । ଖବର ପାଇ ପାଟଣାଗଡ଼ ଶ୍ରମ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଆଲୋଚନା କରିଥିଲେ ମଧ୍ୟ ସୁଫଳ ମିଳିନଥିଲା । ପରେ ପାଟଣାଗଡ଼ ନୀଳମାଧବ ସୁନାଙ୍କ ସହ ସହକାରୀ ଜିଲ୍ଲାପାଳ କ୍ଷୀରୋଦ ସାହୁ ପହଞ୍ଚି ପରିବାର ଲୋକଙ୍କ ସହ ଆଲୋଚନା କରି ମୃତକଙ୍କ ପରିବାରକୁ ରେଡକ୍ରସ ତରଫରୁ ୧୦ ହଜାର ଟଙ୍କା, ହରିଶ୍ଚନ୍ଦ୍ର ଯୋଜନାରେ ୨ହଜାର ଟଙ୍କା ଓ ସ୍ତ୍ରୀଙ୍କୁ ଭତ୍ତା ଦେବାର ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକ ହଟିଥିଲା ।