୪୨୩ ଗାଁକୁ ସ୍ୱପ୍ନ ପାଲଟିଛି ରାସ୍ତା

ରାୟଗଡ଼ା,ଏନ୍ଏନ୍ଏସ୍: ସ୍ୱାଧୀନତାର ସାତ ଦଶନ୍ଧି ବିତିଯାଇଥିଲେ ସୁଦ୍ଧା ଦକ୍ଷିଣାଞ୍ଚଳ ରାୟଗଡ଼ା ଜିଲ୍ଲା ବିକାଶ ମାନଚିତ୍ରରେ ପଛୁଆ ରହିଛି। ଶିକ୍ଷା, ସ୍ୱାସ୍ଥ୍ୟ ଓ ଗମନାଗମ ଭଳି ମୌଳିକ ସୁବିଧା ସୁଯୋଗରୁ ଆଜି ମଧ୍ୟ ଏଠାକାର ଲୋକେ ବଞ୍ଚିତ । ଗ୍ରାମବାସୀ ଏବେସୁଦ୍ଧା ପାହାଡ଼, ନଦୀ ଓ ଜଙ୍ଗଲ ରାସ୍ତା ଅତିକ୍ରମ କରି ବାହ୍ୟ ଜଗତ ସହ ଯୋଗାଯୋଗ କରୁଛନ୍ତି। ଫଳରେ ଗାଁ ଲୋକଙ୍କ ପାଇଁ ଜରୁରୀକାଳୀନ ସ୍ୱାସ୍ଥ୍ୟସେବା ଅପହଞ୍ଚ ହୋଇରହିଛି। କେବଳ ଗମନାଗମନ ନୁହେଁ ଉକ୍ତ ଗ୍ରାମବାସୀ ସରକାରୀ ଯୋଜନା ପାଇବାରେ ମଧ୍ୟ ଅବହେଳାର ଶିକାର ହୋଇଛନ୍ତି। ବିଦ୍ୟୁତ ସେବା ଓ ଟେଲି ଯୋଗାଯୋଗ ଯେଭଳି ଗ୍ରାମବାସୀଙ୍କ ପାଇଁ ଦୁଃସ୍ୱପ୍ନ ପାଲଟିଛି । ମିଳିଥିବା ରିପୋର୍ଟ ମୁତାବକ, ଜିଲ୍ଲାରେ ଆଜିଯାଏଁ ୪୨୩ଟି ଗାଁକୁ ଗମନାଗମନ ସୁବିଧା ନାହିଁ। ତେବେ ଚଳିତ ଆର୍ଥିକ ବର୍ଷ ଉକ୍ତ ଗାଁକୁ ଚିହ୍ନଟ କରାଯାଇ ମାଟି ଓ ମୋରୁମ ରାସ୍ତା ନିର୍ମାଣ କରାଯିବା ନେଇ ଧାର୍ଯ୍ୟ ହୋଇଥିବା ସୂଚନା ମିଳିଛି। ପ୍ରାରମ୍ଭିକ ପର୍ଯ୍ୟାୟରେ ଏମଜିଏନଆରଜିଏ ଯୋଜନା ଅନ୍ତର୍ଗତ ଚଳିତ ବର୍ଷ ଉକ୍ତ ରାସ୍ତା ନିର୍ମାଣ କାମ କରିବା ନିମନ୍ତେ ବିଭାଗ ଯୋଜନା ରଖିଛି। ପରବର୍ତ୍ତୀ ପର୍ଯ୍ୟାୟରେ ଉକ୍ତ ରାସ୍ତାକୁ ପକ୍କା ରାସ୍ତାରେ ପରିଣତ କରିବା ନିମନ୍ତେ ଲକ୍ଷ୍ୟ ରହିଥିବା ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ମହେଶ୍ୱର ନାୟକ ସୂଚନା ଦେଇଛନ୍ତି ।