ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ପ୍ରମୁଖ ସଚିବଙ୍କ ମାଲକାନଗିରି ଜିଲ୍ଲା ଗସ୍ତ

ମାଲକାନଗିରି,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲାର ନୋଡାଲ ଅଧିକାରୀ ତଥା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ପ୍ରମୁଖ ଶାସନ ସଚିବ ବୀର ବିକ୍ରମ ଯାଦବ ଆଜି ଦିନିକିଆ ମାଲକାନଗିରି ଗସ୍ତରେ ଆସି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଓ କୋବିଡ-୧୯ ସମ୍ବନ୍ଧରେ ସମିକ୍ଷା କରିଥିଲେ। ଶ୍ରୀ ଯାଦବ ଆଜି ପୂର୍ବାହ୍ନରେ ଗୋବିନ୍ଦପାଲ୍ଲୀ ଠାରେ ପହଞ୍ଚିଥିଲେ। ତାଙ୍କସହ ଜିଲ୍ଲାପାଳ ମନୀଷ ଅଗ୍ରୱାଲ, ଖଇରପୁଟ ବିଡିଓ, ଏବଂ ବିଭିନ୍ନ ବିଭାଗର ପଦାଧିକାରୀ ଉପସ୍ଥିତ ଥିଲେ। ପ୍ରଥମେ ଶ୍ରୀ ଯାଦବ ଗୋବିନ୍ଦପାଲ୍ଲୀ କୋବିଡ-୧୯ ସ୍ୱାସ୍ଥ୍ୟକେନ୍ଦ୍ରକୁ ଯାଇ ଚିକିତ୍ସାଧିନ ରୋଗୀଙ୍କ ସମ୍ବନ୍ଧରେ ବିଭାଗୀୟ ଅଧିକାରୀଙ୍କ ଠାରୁ ପଚାରି ବୁଝିଥିଲେ। ଆଗାମୀ ଦିନରେ ଯେପରି ଚାଷୀ ଏବଂ ଖାଉଟିମାନେ କୌଣସି ସମସ୍ୟାର ସମ୍ମୁଖୀନ ନ ହେବେ ଏବଂ ସେମାନଙ୍କ ପାଇଁ ଉଦ୍ଦିଷ୍ଟ ଯୋଜନା ଗୁଡିକ କିପରି ସଫଳ ହେବ ସେଥିପାଇଁ ଜିଲ୍ଲାପାଳଙ୍କୁ ପରାମର୍ଶ ଦେଇଥିଲେ। ଏହାସହ କୃଷକ ଏବଂ ଖାଉଟିମାନଙ୍କୁ କୃଷି ଏବଂ ଖାଦ୍ୟ ବିତରଣ ସମ୍ବନ୍ଧରେ ତାଲିମ ପ୍ରଦାନ କରିବା, କୋବିଡ-୧୯ ସମ୍ବନ୍ଧରେ ଅଧିକରୁ ଅଧିକ ସଚେତନ କରିବା ପାଇଁ ପରାମର୍ଶ ଦେଇଥିଲେ। ସହକାରୀ ଯୋଗାଣ ଅଧିକାରୀ ମନୋଜ ପ୍ରଧାନ ଜିଲ୍ଲାରେ ଖାଉଟି ସାମଗ୍ରୀ ବିତରଣ ସମ୍ବନ୍ଧରେ ତଥ୍ୟ ପ୍ରଦାନ କରିଥିଲେ। ଗୋବିନ୍ଦପାଲ୍ଲୀରେ ସମୀକ୍ଷା ଏବଂ ଡାକ୍ତରଖାନା ପରିଦର୍ଶନ ପରେ ଶ୍ରୀ ଯାଦବ କୋରାପୁଟ ଫେରି ଯାଇଛନ୍ତି।