ଫଟା ଜିନ୍ସ ପିନ୍ଧି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ରାଲି କାଢିଲା ମହିଳା କଂଗ୍ରେସ

ନୂଆଦିଲ୍ଲୀ: ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତୀରଥ ସିଂ ରାୱତଙ୍କ ‘ଫଟା ଜିନ୍ସ’ ବୟାନକୁ ନେଇ ବିବାଦ ବଢ଼ିବାରେ ଲାଗିଛି। ଏହି ବିବାଦ ଏବେ ରାଜଧାନୀ ଦିଲ୍ଲୀ ପହଞ୍ଚିଯାଇଛି। ମୁଖ୍ୟମନ୍ତ୍ରୀଙ୍କ ବୟାନକୁ ବିରୋଧ କରି ମହିଳା କଂଗ୍ରେସ ନେତା ଦିଲ୍ଲୀର କ୍ୱାଣ୍ଟ ପ୍ଲେସରେ ରାଲି କରିଛନ୍ତି। ଏହି ରାଲିରେ ସବୁ ବର୍ଗ ଓ ବୟସର ମହିଳା କାର୍ଯ୍ୟକର୍ତ୍ତା ଫଟା ଜିନ୍ସ ପିନ୍ଧି ପ୍ରଦର୍ଶନ କରିଥିଲେ। ସେମାନେ ହାତରେ ପ୍ଲାକାର୍ଡ ମଧ୍ୟ ଧରିଥିଲେ ଯେଉଁଥିରେ ‘ଫଟା ଜିନ୍ସ ନୁହେଁ ଫଟା ଚିନ୍ତାଧାରା’ ବୋଲି ଲେଖା ଯାଇଥିଲା। ଏହି ପ୍ରଦର୍ଶନରେ ଦିଲ୍ଲୀ ମହିଳା କଂଗ୍ରେସର ସଭାପତି ଅମୃତା ଧୱନ ମଧ୍ୟ ଉପସ୍ଥିତ ଥିଲେ। ଏହି ସମୟରେ କଂଗ୍ରେସର ମହିଳା କାଯ୍ୟକର୍ତ୍ତା ବିଜେପି ଉପରେ ମହିଳା ବିରୋଧୀ ହେବାର ଆରୋପ ଲଗାଇଥିଲେ।

ଅମୃତା ଧୱନ କହିଛନ୍ତି ଯେ, ମହିଳାଙ୍କୁ ତାଙ୍କ ପୋଷାକକୁ ନେଇ ଆକଳନ କରିବା ଠିକ୍ ନୁହେଁ। ଜଣେ ମହିଳା ଜିନ୍ସ ପିନ୍ଧନ୍ତୁ କି ଶାଢ଼ୀ ସେ ତାଙ୍କ ପିଲାଙ୍କୁ ଭଲ ସଂସ୍କାର ଦେଇଥାନ୍ତି। ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିିବା ଉଚିତ। ବିଜେପି ଲଗାତାର ଭାବେ ଏଭଳି ବୟାନ ଦେଇଥାଏ।