ଫ୍ଲାଏଓଭର ଭୁଶୁଡ଼ିବା ଘଟଣାର ତଦନ୍ତ ପାଇଁ ଦିଲ୍ଲୀରୁ ଆସିବ ସ୍ୱତନ୍ତ୍ର ଟିମ୍

ଦେବଗଡ଼,ଏନ୍ଏନ୍ଏସ୍: ଦେବଗଡ଼ ପୌରାଞ୍ଚଳ ଅନ୍ତର୍ଗତ ପୁରୁଣାଗଡ଼ ଠାରେ ୪୯ନଂ ଜାତୀୟ ରାଜପଥ ବାଇପାସ୍‌ ରାସ୍ତାରେ ନିର୍ମାଣାଧୀନ ଫ୍ଲାଏଓଭର ମଙ୍ଗଳବାର ସନ୍ଧ୍ୟାରେ ହଠାତ ଭୁଶୁଡ଼ି ପଡ଼ିଥିଲା। ଏହା ପରେ ଏନ୍ଏଚ୍ କର୍ତ୍ତୃପକ୍ଷ ଘଟଣାସ୍ଥଳକୁ ଯାଇ ଏହାର ଅନୁଧ୍ୟାନ କରିଥିଲେ। ଆଜି ସକାଳୁ ୪୯ନଂ ଜାତୀୟ ରାଜପଥର ତିଲେଇବଣୀରୁ ବିଞ୍ଜବାହାଲ ଲେନ୍‌ ରାସ୍ତାର ଦାୟିତ୍ୱରେ ଥିବା ପ୍ରକଳ୍ପ ନିର୍ଦ୍ଦେଶକ ଭେକ୍ଟଟେଶ୍ୱରଲୁ ବିଭାଗୀୟ ଯନ୍ତ୍ରୀଙ୍କ ସହ ଘଟଣାସ୍ଥଳ ପରିଦର୍ଶନ କରି ଗଣମାଧ୍ୟମର ପ୍ରତିନିଧିମାନେ ପହଞ୍ଚିବା ପୂର୍ବରୁ ଭୁବନେଶ୍ୱର ଫେରିଯାଇଥିଲେ। ତେବେ ଫୋନ୍ ଯୋଗେ ତାଙ୍କ ମତାମତ ନେବାରୁ ସେ ଏଭଳି ଘଟଣାରେ ଆଶ୍ଚର୍ଯ୍ୟ ପ୍ରକଟ କରିବା ସହ ଘଟଣାର କାରଣ ସମ୍ପର୍କରେ ଅନୁଧ୍ୟାନ ପାଇଁ ଆସନ୍ତା କାଲି ଦିଲ୍ଲୀରୁ ଏକ ସ୍ୱତନ୍ତ୍ର ବିଶେଷଜ୍ଞ ଦଳ ଆସୁଥିବା ସୂଚନା ଦେଇଥିଲେ। ବିଶେଷଜ୍ଞ ଦଳର ତଦନ୍ତ ରିପୋର୍ଟ ପରେ ଘଟଣାର ସତ୍ୟାସତ୍ୟ ଜଣାପଡ଼ିବ କହିଛନ୍ତି।

 ସେହିପରି ବୁଧବାର ସକାଳୁ ଏହି ଘଟଣାକୁ ନେଇ ଜିଲ୍ଲା କଂଗ୍ରେସ ସଭାପତି ଉମା ଶଙ୍କର ସାହୁ ନିର୍ମାଣକାରୀ ଠିକା ସଂସ୍ଥା ଓରିଏଣ୍ଟାଲ ସୁପର କନଷ୍ଟ୍ରକ୍ସନ କମ୍ପାନୀର ନିମ୍ନମାନର କାମ ଯୋଗୁଁ ଏଭଳି ଅଘଟଣ ଘଟିଥିବା ଅଭିଯୋଗ କରି ଦେବଗଡ଼ ଜିଲ୍ଲାର  ଶାସକ ସରକାର ଓ ଜିଲ୍ଲାପ୍ରଶାସନକୁ ଠିକା କମ୍ପାନୀ ନିଜ ନିୟନ୍ତ୍ରଣରେ ରଖି ନିମ୍ନମାନର କାମ କରୁଥିବା ଏବଂ ଜିଲ୍ଲା କଂଗ୍ରେସ ଏହାର ପ୍ରତିବାଦରେ ଅନଶନ ଧର୍ମଘଟ କରୁଥିଲେ ମଧ୍ୟ ବିରୋଧୀଙ୍କ ସ୍ୱରକୁ ଚାପି ଦେଉଥିବା ଅଭିଯୋଗ କରିଥିଲେ। ସେହିପରିନିର୍ମାଣାଧୀନ ଫ୍ଲାଏଓଭର ଭୁଶୁଡ଼ି ପଡୁଥିବା ବେଳେ କମ୍ପାନୀର କାମର ମାନକୁ ତଦନ୍ତ ପରିସରଭୁକ୍ତ କରିବାକୁ ଦାବି କରିଛନ୍ତି।